ସେଲଫି ନେବା କାଳ ହେଲା: ନୃସିଂହନାଥ କପିଳଧାରରୁ ଖସି ପ୍ରାଣ ହାରିଲେ ୨ଯୁବକ

ସେଲଫି ନେବା କାଳ ହେଲା: ନୃସିଂହନାଥ କପିଳଧାରରୁ ଖସି ପ୍ରାଣ ହାରିଲେ ୨ଯୁବକ

ପାଇକମାଲ: ସାଙ୍ଗମେଳରେ ଖୁସି ହୋଇ ସେଲଫି ନେବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନିଜର ଅସାବଧାନତା ଲାଗି ସେମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥସ୍ଥିତ କପିଳଧାରରେ ଆଜି ଏହି ଅଭାବନନୀୟ ଘଟଣା ଘଟିଛି। ମୃତକମାନେ ଝିପିକି ଗାଁର ପପୁ ମହାକୁର (୧୮) କ୍ଷୀରୋଦ ସୋନି (୨୦) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଝିପିକି ଗାଁର ପପୁ, କ୍ଷୀରୋଦ ଓ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟାରେ ନୃସିଂହନାଥସ୍ଥିତ କପିଳଧାରକୁ ଯାଇଥିଲେ। ଏହି ତିନି ଜଣ ଯୁବକ ନିଜ ଗାଁଠାରୁ ୧୫ କିଲୋମିଟର ବାଇକ୍‌ ଚଲାଇ ଝାରଣା ନିକଟରେ ପହଂଚିଥିଲେ। କପିଳଧାରରେ ପହଂଚିବା ପରେ ସେଠାରେ ୨ ଜଣ ଝରଣା ନିକଟରେ ଥିବା ଏକ ବଡ଼ ପଥର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବା ଖସିପଡ଼ିଥିଲେ।

ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟସାରା ବର୍ଷା ଜାରି ରହିଥିବା ବେଳେ ନୃସିଂହନାଥ ଝରଣାରେ ଏବେ ପୂର୍ବାପେକ୍ଷା ଅଧିକ ପାଣି ପ୍ରବାହିତ ହୋଇଛି। ୨ ଯୁବକ ଯେଉଁଠାରେ ପାଣିରେ ପଡ଼ିଛନ୍ତି, ତାହା ଏକ ବିପଦଜନକ ସ୍ଥାନ।

କୋଭିଡ-୧୯ କଟକଣା ପାଇଁ ସମଗ୍ର ରାଜ୍ୟ ସମେତ ନୃସିଂହନାଥକୁ ଦର୍ଶକ, ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କର ଆଗମନ ବାରଣ ରହିଛି। ନୃସିଂହନାଥଙ୍କୁ ସାଧାରଣ ଦର୍ଶନ ବନ୍ଦ ରହିଛି। ପ୍ରବଳ ବର୍ଷା ସତ୍ତ୍ୱେ ଓ ନୃସିଂହନାଥ ମନ୍ଦିରର ମୁଖ୍ୟ ରାସ୍ତା ବନ୍ଦ ଥିବା ବେଳେ ୩ ଜଣ ଯୁବକ ଅନ୍ୟ ଏକ ଦୁର୍ଗମ ରାସ୍ତା ଅତିକ୍ରମ କରି କପିଳଧାରକୁ ପହଂଚିଥିଲେ।

ତେବେ ଅନ୍ୟ ଯୁବକଙ୍କ ଠାରୁ ସୂଚନା ମିଳିବା ପରେ ପାଇକମାଲ ଦମକଳ ବାହିନୀ, ପୁଲିସ, ନୃସିଂହନାଥ ବନ କର୍ମଚାରୀ ଓ ମନ୍ଦିର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ୨ ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ନୃସିଂହନାଥ କପିଳଧାର ଝରଣାରେ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe