image source--news first
ପିପିଲି : ସମ୍ପର୍କରେ ଦୁହେଁ ପିଉସୀ-ଝିଆରୀ। ପ୍ରତିଦିନ ଜଣେ ଅନ୍ୟ ଜଣକୁ ନଦେଖିଲେ ବ୍ୟତିବ୍ୟସ୍ତ ହୋଇଯାଆନ୍ତି। ଗୋଟିଏ ସ୍କୁଲ୍ରେ ଦୁଇ ଜଣ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଉଭୟେ ପିଉସୀ-ଝିଆରୀ ନିୟମିତ ଏକ ସ୍କୁଟିରେ ସ୍କୁଲ୍କୁ ଯାତାୟାତ କରିଥାନ୍ତି। ମାତ୍ର ଆଜି ଉଭୟଙ୍କର ଥିଲା ଶେଷ ଯାତ୍ରା। ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସ୍ନେହଲତା ସାହୁ(୪୩) ଓ ଶୁଭଲକ୍ଷ୍ମୀ ପରିଡ଼ା (୩୦)।
ସୂଚନା ଅନୁଯାୟୀ, ପିପିଲି ଦାଣ୍ତମୁକୁନ୍ଦପୁରସ୍ଥିତ ପୀତବାସ ୟୁଜିଏମ୍ଇ ସ୍କୁଲ୍ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ନେହଲତା ଓ ତାଙ୍କ ଝିଆରୀ ଶୁଭଲକ୍ଷ୍ମୀ ଆଜି ସକାଳେ ଏକ ସ୍କୁଟିରେ ସ୍କୁଲ୍କୁ ଯାଉଥିଲେ। ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଦାଣ୍ତମୁକୁନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଡାଲା ଅଟୋ ତାଙ୍କ ଗାଡ଼ିକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ଶୁଭଲକ୍ଷ୍ମୀ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ମୁଣ୍ତରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୫ ମାସର ଗର୍ଭବତୀ ଥିଲେ ବୋଲି ପରିବାର ସୁତ୍ରରୁ ଜଣାଯାଇଛି। ଗତ ୨୦୧୮ ଏପ୍ରିଲ୍ ମାସରେ ତାଙ୍କର ବିବାହ ହୋଇଥିଲା। ଅନ୍ୟ ପକ୍ଷରେ ସ୍ନେହଲତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶୁଭଲକ୍ଷ୍ମୀ ଗାଡ଼ି ଚଳାଉଥିବା ବେଳେ ସ୍ନେହଲତା ପଛରେ ବସିଥିଲେ। ଦୁର୍ଘଟଣା ଘଟାଇବା ପରେ ଅଟୋ ଚାଳକ ଘଟଣା ସ୍ଥଳରୁ ଫେରାର ହେଉଥିବା ବେଳେ ପିପିଲି ଥାନାର ଜନୈକ କନେଷ୍ଟବଳ ତାକୁ କାବୁ କରିନେଇଥିଲେ। ଅଟୋ ଚାଳକକୁ ଗିରଫ କରାଯାଇଥିବା ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି।
Follow Us