ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ସୋନାରପାରା ଗାଁରେ ଅଭାବନୀୟ ଘଟଣା ଘଟିଛି। କୂଅ ସଫା କରିବାକୁ ପଶିଥିବା ୨ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟାରେ ସୋନାରପାରା ଗାଁର ରାଜୁ କେଉଟ ନିଜ କୂଅ ସଫା କରିବାକୁ ସେହି ଗାଁର ହେମରାଜ ହାଲବା (୩୫)କୁ ଡକାଇଥିଲେ। ତେବେ ହେମରାଜ କୂଅ ଭିତରେ ପଶିବାର କିଛି ସମୟ ପରେ ହଠାତ୍ ବାହାରେ ଥିବା ରାଜୁଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ସନ୍ଦେହ ହେବାରୁ ବାରମ୍ବାର ଡାକ ପକାଇବା ସତ୍ତ୍ବେ ହେମରାଜ କୌଣସି ଉତ୍ତର ଦେଇ ନଥିଲେ। ତେଣୁ କିଛି ଅଘଟଣ ଘଟିଥିବା ଆଶଙ୍କା କରି ରାଜୁ ମଧ୍ୟ କୂଅ ଭିତରେ ପଶି ଯାଇଥିଲେ। କିନ୍ତୁ ଶ୍ବାସରୁଦ୍ଧ ହୋଇଯିବା କାରଣରୁ ରାଜୁ ମଧ୍ୟ ଚେତା ହରାଇଥିଲେ। ବହୁ ସମୟ ଧରି ଉଭୟ କୂଅ ବାହାରକୁ ନ ଆସିବାରୁ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପ୍ରୟାସ ବିଫଳ ହେବାରୁ ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଅନୁପ କେଉଟ କୂଅରେ ପଶିଥିଲେ। ପାଣି କମ ରହିଥିବାରୁ ଏବଂ ଅମ୍ଳଜାନ ସ୍ତର କମିବା କାରଣରୁ ସମସ୍ତ ୩ଜଣ ଯାକ ଅନ୍ଧାରିଆ କୂଅ ମଧ୍ୟରେ ଫସି ରହିଥିଲେ।
ଏହି ଅଘଟଣ ସଂପର୍କରେ ପ୍ରଚାର ହେବାପରେ କୁନ୍ଦେଇ ପୁଲିସ ଏବଂ ରାଇଘର ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ପରେ ୩ଜଣଙ୍କୁ ଉଦ୍ଧାର କରି ବାହାରକୁ କାଢ଼ିଥିଲେ। କିନ୍ତୁ ସେତେବେଳକୁ ହେମରାଜ ଏବଂ ଅନୁପଙ୍କ ମୃତ୍ୟୁ ହୋଇସାରିଥିଲା। ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଥିବା ଜଣାପଡ଼ିଛି।
Follow Us