Representative image
ବ୍ୟାସନଗର : ବ୍ୟାସନଗର ସହରରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇଦିନରେ ଦୁଇଜଣଙ୍କ ଜୀବନ ଗଲାଣି। କରୋନା ସଂକ୍ରମିତ ହୋଇ ଗତ ଗୁରୁବାର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚାନ୍ଦମା ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୌରାଞ୍ଚଳର ୧୮ ନମ୍ବର ୱାର୍ଡ ନୂଆ ମାର୍କେଟରେ କରୋନା ସଂକ୍ରମିତ ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ନୂଆ ମାର୍କେଟର ଚକ୍ରଧର ବଳ (୭୦)।
ଶ୍ରୀ ବଳ ୧୫ ଦିନ ହେଲା ଭୁବନେଶ୍ବରସ୍ଥିତ ଝିଅଘରେ ରହୁଥିଲେ। ଗତ ୧ ତାରିଖରେ ଝିଅଘରୁ ଫେରିଥିବା ବେଳେ ୨ ତାରିଖରେ ସେ ଓ ତାଙ୍କ ପୁଅ ନିରଞ୍ଜନ କରୋନା ପରୀକ୍ଷା କରାଇଥିଲେ। ଏଥିରୁ ଚକ୍ରଧର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ୪ ଦିନ ଧରି ଗୃହ ସଂଗରୋଧରେ ରହିବା ପରେ ଗତ ଗୁରୁବାର ଚକ୍ରଧର ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଶାସନ ପକ୍ଷରୁ କୋଭିଡ କଟକଣା ମଧ୍ୟରେ ଯାଜପୁରସ୍ଥିତ ବାରୁଣୀ ମହାଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା ବୋଲି ପୁଅ ନିରଞ୍ଜନ ସୂଚନା ଦେଇଛନ୍ତି।
Follow Us