ଚିତ୍ରୋତ୍ପଳାରେ ବୁଡ଼ି ୨ ଯୁବକଙ୍କ ଜୀବନ ଗଲା

ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ପାଟକୁରା ନିକଟ ଚିତ୍ରୋତ୍ପଳା ନଦୀରେ ବୁଡ଼ି ୨ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଦ୍ବୟ ହେଉଛନ୍ତି କେନ୍ଦ୍ରାପଡ଼ା ସହର ଜଇପୁରାର ହାସନ ଅଲ୍ଲୀ(୧୯) ଓ ଉତ୍ତରପ୍ରଦେଶ ଦୁଲାରପୁର ଜିଲ୍ଲା ଯାଜିପୁର ଅଂଚଳର ତାରିକ ଅହମ୍ମଦ(୨୦)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଟକୁରାରେ ଚାଲିଥିବା ଧାର୍ମିକ କାର୍ଯ୍ୟକ୍ରମ ‘ତବ୍‌ଲିକ ଜମାତ’ରେ ଯୋଗଦେବା ପାଇଁ ଏଠାକୁ ବିଭିନ୍ନ ସ୍ଥାନରୁ ମୁସଲମାନ ସମ୍ପ୍ରଦାୟର ଯୁବକମାନେ ଆସିଥିଲେ। ଆଜି ସକାଳ ପ୍ରାୟ ୮ଟାରେ ୧୦ ଜଣ ଯୁବକ ଚିତ୍ରୋତ୍ପଳା ନଦୀର ପାଟକୁରା ପୋଲ ନିକଟ ଘାଟକୁ ଗାଧୋଇବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ହାସନ୍‌ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ନଦୀର ସ୍ରୋତ ପ୍ରଖର ଥିବାରୁ ବୁଡ଼ି ଯାଇଥିଲେ। ହାସନ୍‌ ବୁଡ଼ି ଯାଉଥିବା ଦେଖି ତାରିକ୍‌ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ହାସନ୍‌ ତାରିକଙ୍କ ହାତ ଧରି ଉପରକୁ ଉଠିବାକୁ ଚେଷ୍ଟା କରୁଥିବାବେଳେ ଦୁହେଁ ନଦୀ ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଥୀମାନଙ୍କ ପାଟି ଶୁଣି ଶହଶହ ଲୋକ ରୁଣ୍ଡ ହୋଇଯାଇଥିଲେ।

ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ପ୍ରାୟ ୪୫ ମିନିଟ୍‌ ପରେ ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ଓ ପାଟକୁରା ଥାନାଧିକାରୀ ସୁଜିତ ପ୍ରଧାନ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ। ପାଟକୁରା ଥାନାରେ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଏହି ଅଘଟଣ ପରେ ଧାର୍ମିକ କାର୍ଯ୍ୟକ୍ରମ ‘ତବ୍‌ଲିକ ଜମାତ’ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe