ଏମ୍‌ସକୁ ଆସିବ ଦୁଇଟି ଏକ୍‌ମୋ ମେସିନ, ସମ୍ଭବ ହେବ କୋଭିଡ ଆକ୍ରାନ୍ତଙ୍କ ଫୁସଫୁସ ଚିକିତ୍ସା

Advertisment

୨୦୧୯ ମସିହାର ପ୍ରସ୍ତାବ ୨୦୨୧ରେ କାର୍ଯ୍ୟକାରୀ

୨୦୧୯ ମସିହାର ପ୍ରସ୍ତାବ ୨୦୨୧ରେ କାର୍ଯ୍ୟକାରୀ

ଏମ୍ସ ବାୟୋକେମେଷ୍ଟ୍ରି ବିଭାଗ ପଦୋନ୍ନତି ବିବାଦ: ଆପତ୍ତି ଉଠାଇଲା ଫାକଲ୍‌ଟି ଆସୋସିଏସନ୍‌

DNA India

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରରେ ସମ୍ଭବ ହେବ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଫୁସଫୁସ୍‌ ଚିକିତ୍ସା। ଏହି ଡାକ୍ତରଖାନା ପକ୍ଷରୁ କିଣାଯିବ ଦୁଇଟି ଏକ୍‌ମୋ ମେସିନ୍‌। ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ଗୋଟିଏ ଏକ୍‌ମୋ ମେସିନ୍‌ ସ୍ଥାପନ ହୋଇଯିବ। ଦ୍ବିତୀୟ ମେସିନ୍‌ଟି ଖୁବ୍‌ଶୀଘ୍ର ଲାଗିବ। ଏଥିପାଇଁ କିଛି ଅଧ୍ୟାପକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆହୁରି କିଛି ଟେକ୍ନିସିଆନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ୨୦୧୯ ମସିହାରେ ଏହି ପ୍ରସ୍ତାବ ଆଗତ ହୋଇଥିଲେ ହେଁ ୨ ବର୍ଷ ପରେ କାର୍ଯ୍ୟକାରୀ ହେବାକୁ ଯାଉଛି। ପୂର୍ବରୁ ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଇଥିଲେ ଆଉ କିଛି ମୃତ୍ୟୁ ରୋକା ଯାଇ ପାରିଥାଆନ୍ତା ବୋଲି କୁହାଯାଉଛି।

ବିଶେଷଜ୍ଞଙ୍କ କହିବା କଥା, ଏକ୍‌ମୋ (ଏକ୍ସଟ୍ରା କର୍ପୋରିଆଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ମେସିନ୍) ବା କୃତ୍ରିମ ଫୁସଫୁସ୍। ଶରୀରରୁ ରକ୍ତକୁ ବାହାରକୁ ଆଣି ପରିଷ୍କାର କରିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀର ଭିତରକୁ ଛାଡ଼େ। ଉଭୟ ହୃଦ୍‌ରୋଗ ଏବଂ ଶ୍ବାସରୋଗ (ପଲ୍ମୋନାରି) ବିଭାଗରେ ଏହାର ବ୍ୟବହାର ହୋଇଥାଏ। ଯେଉଁମାନଙ୍କ ଫୁସଫୁସ୍‌ କିମ୍ବା ହୃତ୍‌ପିଣ୍ଡ ଗୁରୁତର ପ୍ରଭାବିତ ହୋଇଛି, କିନ୍ତୁ କିଛି ଦିନ ମଧ୍ୟରେ ସ୍ଥିତି ସ୍ବାଭାବିକ ହେବାର ଆଶା ରହିଛି, ସେମାନଙ୍କ ଚିକିତ୍ସା କ୍ଷେତ୍ରରେ ଏକ୍‌ମୋ ମେସିନ୍‌ର ବ୍ୟବହାର କରାଯାଇଥାଏ। ସେହିପରି ଅଙ୍ଗପ୍ରତ୍ୟଙ୍ଗ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇଥାଏ। ହୃତ୍‌ପିଣ୍ଡରେ ହୋଇଥିବା ଭାଇରାଲ ସଂକ୍ରମଣ ଠିକ୍‌ ହେବା ପର୍ଯ୍ୟନ୍ତ ଏକ୍‌ମୋ ମେସିନ୍‌କୁ ମଧ୍ୟ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ କୋଭିଡ୍‌ ରୋଗୀଙ୍କ ଫୁସଫୁସ ସଂକ୍ରମିତ ହୋଇ ଅକାମି ହୋଇପଡ଼ୁଛି। ହଠାତ୍‌ ଅମ୍ଳଜାନ ସ୍ତର ଖସି ଯାଉଛି। ତେଣୁ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ବେଶି ବଢ଼ି ଯାଇଛି। ଅନ୍ୟପକ୍ଷରେ ଏମ୍‌ସ ଭୁବନେଶ୍ବରକୁ ସର୍ବଦା ଗୁରୁତର ରୋଗୀ ଆସିଥାଆନ୍ତି। ବର୍ତ୍ତମାନ ରାଜ୍ୟ ଯେଉଁ ମେସିନ୍‌ର ଆବଶ୍ୟକତା ଅନୁଭବ କରୁଛି, ଏମ୍‌ସ ୨୦୧୮ ମସିହାରୁ ଏହାର ଆବଶ୍ୟକତା ଅନୁଭବ କରିଥିଲା। ବରିଷ୍ଠ ଡାକ୍ତରମାନେ ଏହାର କ୍ରୟ ପାଇଁ ପ୍ରସ୍ତାବ ଦେଇଥିଲେ। ଏମ୍‌ସରେ ଥିବା ପର୍ଚେଜିଂ କମିଟିରେ ୨୦୧୯ ମସିହାରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ମାତ୍ର ଏହାର ବଜେଟ୍ ଏବଂ ଆବଶ୍ୟକତା ନଥିବା କହି ପ୍ରସ୍ତାବକୁ ଫେରାଇ ଦିଆଯାଇଥିଲା।

କିଛି ବରିଷ୍ଠ ଡାକ୍ତରଙ୍କ ଅନୁସାରେ, ୨୦୧୯ ପରେ ୨୦୨୦ ମସିହାରେ ମଧ୍ୟ ଏହି ମେସିନ୍‌ କିଣିବା ପାଇଁ ଏମ୍‌ସର ବରିଷ୍ଠ ଡାକ୍ତର କହି ଆସୁଥିଲେ। ସେତେବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଇଥିଲେ, କିଛି ଅମୂଲ୍ୟ ଜୀବନ ବଞ୍ଚାଯାଇଥାଆନ୍ତା ବୋଲି କୁହାଯାଉଛି। ଏକ୍‌ମୋ ପରିଚାଳନା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଟିମ୍‌ର ଆବଶ୍ୟକତା ରହିଛି। ଗୋଟିଏ ଏକ୍‌ମୋ କେବଳ ଜଣେ ରୋଗୀଙ୍କ ପାଇଁ ବ୍ୟବହାର ହୁଏ। ମେସିନ୍‌ର ମୂଲ୍ୟ ୩୦ରୁ ୩୫ଲକ୍ଷ ଟଙ୍କା। ମେସିନ୍‌ ବ୍ୟବହାର ସମୟରେ ଯେଉଁ କିଟ୍‌ର ଆବଶ୍ୟକତା ପ଼ଡ଼ିଥାଏ, ତା’ର ମୂଲ୍ୟ ୩ରୁ୪ ଲକ୍ଷ ବୋଲି କୁହାଯାଉଛି। ମାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଏମ୍‌ସଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପରିଚାଳିତ କଟକର ଏସ୍‌ସିବି, ବୁର୍ଲାର ଭିମସାର, ବ୍ରହ୍ମପୁରର ଏମକେସିଜି କୌଣସି ସରକାରୀ ଡାକ୍ତରଖାନା ଏହି ମେସିନ୍‌ ନାହିଁ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର କ୍ରୟ ପାଇଁ ଘୋଷଣା କରାଯାଇଛି।

ରଘୁନାଥ ମହାପାତ୍ରଙ୍କଠାରେ ଲଗା ଯାଇଥିଲା ଘରୋଇ ଡାକ୍ତରଖାନାର ଏକ୍‌ମୋ ବର୍ତ୍ତମାନ କୋଭିଡରେ ଫୁସଫୁସ ସଂକ୍ରମିତ ହୋଇ ମୃତ୍ୟୁ ହାର ସର୍ବାଧିକ ରହିଛି। କୋଭିଡ୍‌ ଯୋଗୁଁ ଏମ୍‌ସରେ ଚିକିତ୍ସାଧୀନ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏମ୍‌ସରେ ସେତେବେଳେ ଉପଲବ୍ଧ ନଥିବାରୁ ଘରୋଇ ଡାକ୍ତରଖାନାରୁ ଅଣାଯାଇ ଲଗାଯାଇଥିଲା। ମାତ୍ର ଫୁସଫୁସ୍‌ ଟ୍ରାନ୍ସପ୍ଲାଣ୍ଟ ସମ୍ଭବ ନଥିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଦୁଇପୁଅଙ୍କ କ୍ଷେତ୍ରରେ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା। ଏଥିପାଇଁ ଜଣେ ପୁଅଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe