ଅଧା ଚିକିତ୍ସାରୁ ଫେରିଲେ ଶିକାରୀ ଜାଲରେ ଫସି ଗୁରୁତର ଦୁଇ ବୃଦ୍ଧା

Advertisment

ଯନ୍ତ୍ରଣାରେ ଛଟପଟ, ନିର୍ଦ୍ଦୟ ସାଜିଛି ବନବିଭାଗ

ଯନ୍ତ୍ରଣାରେ ଛଟପଟ, ନିର୍ଦ୍ଦୟ ସାଜିଛି ବନବିଭାଗ

ଅଧା ଚିକିତ୍ସାରୁ ଫେରିଲେ ଶିକାରୀ ଜାଲରେ ଫସି ଗୁରୁତର ଦୁଇ ବୃଦ୍ଧା

ଭଞ୍ଜନଗର/ସୋରଡ଼ା : ପେଟ ପାଇଁ ଦାନା ଯୋଗାଡ଼ କରିବାକୁ କାଜୁ ଜଙ୍ଗଲ ଯାଇଥିଲେ। ହେଲେ ଶିକାରୀ ବିଛାଇଥିବା ତାରରେ ଫସି ଗୁରୁତର ହେଲେ ଦୁଇ ବୃଦ୍ଧା। ଆଉ ବର୍ତ୍ତମାନ କଟକ ବଡ଼ ମେଡିକାଲ୍‌ରୁ ଅଧା ଚିକିତ୍ସାରେ ଫେରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସୋରଡ଼ା ବ୍ଲକ୍ ଲାଠିପଡ଼ା ଜେନା ସାହିର ସୁକୁମାରୀ ଜେନା(୫୮) ଏବଂ ଅରାଲୁ ମହାରଥା(୬୦)। ଉଭୟ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଗୁରୁତର ହୋଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ତୁରନ୍ତ ସେମାନଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ ଏବଂ ସେଠାରୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଥିଲା।

ବ୍ରହ୍ମପୁରରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨-୩ ଦିନ ରହିବା ପରେ ମାସକର ‌ଔଷଧ ଦେଇ ମେଡିକାଲ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି। ସୁକୁମାରୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି। ଆଉ ଅରାଲୁଙ୍କ ମଧ୍ୟ ଘା’ ଶୁଖୁ ନଥିବାରୁ ସେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଭୟ ବିଧବା ହୋଇଥିବା ବ‌େଳେ ଏକାକୀ ଗାଁରେ ରହୁଥିଲେ। ବର୍ତ୍ତମାନ ଉଭୟଙ୍କ ନିକଟରେ ସେମାନଙ୍କ ଝିଅ ରହୁଥିବା ବେଳେ ପରିସ୍ଥିତି ଦୟନୀୟ ହୋଇପଡ଼ିଛି।

ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସେମାନଙ୍କ ଘରକୁ ଯାଇ ଦେଖାଶୁଣା କରିବା ସହ ଆର୍ଥିକ ସହାୟତା ଓ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏଥିସହ ଅରାଲୁଙ୍କ ଝିଅର ଅଭିଯୋଗକ୍ରମେ କେସ୍‌ ନମ୍ବର ୭୯/୨୧ରେ ଏକ ମାମଲା ରୁଜୁ କରିବା ସହ ଶିକାରୀ ମାନଙ୍କୁ କାବୁ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଅଭିଯୁକ୍ତ ମାନେ ଚିହ୍ନଟ ହୋଇସାରିଛନ୍ତି। କିନ୍ତୁ ସେମାନେ ଫେରାର୍ ହୋଇଯାଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କିନ୍ତୁ ଜଙ୍ଗଲ ମଧ୍ୟରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେଭଳି କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ବନ୍ୟଜନ୍ତୁ ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ସୁରକ୍ଷା ବନ ବିଭାଗର କାର୍ଯ୍ୟ ହୋଇଥିବା ବେଳେ‌ ଏତେ ବଡ଼ ଘଟଣା ପରେ ମଧ୍ୟ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି।

ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡ଼ା ସେକ୍ସନ୍ ଢଉପଲ୍ଲୀ ଜଙ୍ଗଲ ନିକଟରେ ଥିବା କାଜୁ ବଗିଚାକୁ ଗତ ୧୩ ତାରିଖ ସକାଳେ ସୁକୁମାରୀ, ଅରାଲୁ ଏବଂ  ଲକ୍ଷ୍ମୀ ବେହେରା ପତ୍ର ସଫା କରିବା ପାଇଁ ଯାଇଥିଲେ। ସେହି ସମୟରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ପ୍ରଥମେ ସୁକୁମାରୀ ଲାଗିଯିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇ ଅରାଲୁ ମଧ୍ୟ ଗୁରୁତର ହୋଇଥିଲେ। ଲକ୍ଷ୍ମୀ ଗ୍ରାମରେ ପହଞ୍ଚି ସୂଚନା ଦେବା ପରେ ସୁକୁମାରୀ ଓ ଅରାଲୁଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଓ ସେଠାରୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ଅଧା ଚିକିତ୍ସାରୁ ସେମାନନେ ଘରକୁ ଫେରି ଆସିଥିବାରୁ ସୁସ୍ଥ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉତ୍ତମ ଚିକିତ୍ସା କରିବା ନି‌ମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe