ବଡ଼ରମା ତିଲେଇମାଲ ଜଙ୍ଗଲରେ ୨ ହାତୀ ମୃତ

Advertisment
୩ବର୍ଷରେ ୨୪୫ ହାତୀ ମୃତ

Asian Elephant Projects

ଜମନକିରା : କୀଟନାଶକ ପ୍ରଭାବରେ ଆସି ଦୁଇଟି ହାତୀଙ୍କ ମୃତ୍ୟୁ ହେବା ଭଳି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ଡିଭିଜନ ବଡ଼ରମା ରେଞ୍ଜ ଅନ୍ତର୍ଗତ ଉଷାକୋଠି ଅଭୟାରଣ୍ୟ ପରିବେଷ୍ଟିତ ସର୍ଡ଼ା ପଞ୍ଚାୟତ ତିଲେଇମାଲ ଗାଁ ନିକଟ ଚୁଲିଆକାନି ପତ୍ରା ଜଙ୍ଗଲରେ। ବୁଧବାର ମଧ୍ୟରାତ୍ରିରେ କୀଟନାଶକ ସିଞ୍ଚନ ହୋଇଥିବା ଧାନ ଗଛ ଖାଇ ଗୋଟିଏ ମାଈ ହାତୀ ଓ ଗୋଟିଏ ଦନ୍ତା ହାତୀ ପ୍ରାଣ ହରାଇଛନ୍ତି। ତେବେ ବଜାରରେ ଉପଲବ୍‌ଧ କୀଟନାଶକ ପ୍ରଭାବରେ ଆଜିକାଲି ପୋକ ମରୁ ନଥିବା ଅଭିଯୋଗ ହେଉଥିଲାବେଳେ ଦୁଇଦୁଇଟି ହାତୀର ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି। ହାତୀଙ୍କୁ ମାରିବା ପାଇଁ ଜାଣିଶୁଣି ଉତ୍କଟ ବିଷ ପ୍ରୟୋଗ କରା ଯାଇଥିବା ପରିବେଶ ପ୍ରେମୀ ଆଶଂକା କରୁଛନ୍ତି।

publive-image

ସୂଚନାଯୋଗ୍ୟ, ସାଂସଦ ଆଦର୍ଶ ପଂଚାୟତର ମାନ୍ୟତା ପାଇଥିବା ସର୍ଡ଼ାର ପାହାଡ଼ ତଳି ତିଲେଇମାଲ ଗାଁ କ୍ଷେତକୁ ବୁଧବାର ଧାନଗଛ ଖାଇବାକୁ ଦଳେ ବଣୁଆ ହାତୀ ଆସିଥିଲେ। ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମବାସୀ ପାହାଡ଼ ତଳି ଅଞ୍ଚଳକୁ ଯାଇଥିବା ବେଳେ ସେଥିରୁ ୨ଟି ହାତୀ ମରି ପଡ଼ିଥିବା ଦେଖିଥିଲେ। ଗ୍ରାମବାସୀଙ୍କଠାରୁ ସୂଚନା ପାଇ ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷକ ଚିତ୍ତରଂଜନ ମିଶ୍ର, ବାମରା ଡିଏଫ୍‌ଓ ଫାଲଗୁନି ପାର୍ଥ ସାରଥି ମଲ୍ଲିକ, ଏସିଏଫ୍, ବଡ଼ରମା ରେଞ୍ଜ ଅଫିସର ସୁବାସ ନାୟକ, ସେକେଣ୍ଡ ଅଫିସର ଦିଲ୍ଲୀପ ମେଣ୍ଡୱାଲା, ଫରେଷ୍ଟର ଅଜମେର ଜୟପୁରିଆ ପ୍ରମୁଖ ଅଧିକାରୀ ଗଣ ସଦଳବଳ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ହାତୀର ଚଲାପଥ ଓ ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ ଯାଞ୍ଚ କରି ହାତୀ ମୃତ୍ୟୁର ଅବସ୍ଥିତି ରେକର୍ଡ କରିଥିଲେ। ପାହାଡ଼ ତଳି କ୍ଷେତରେ ବୁଣା ଧାନରେ ନଳି ପୋକ ଲାଗିଥିବାରୁ ବୁଧବାର ଉକ୍ତ ଗାଁ’ର ଜଣେ ଚାଷୀ କୀଟନାଶକ ଔଷଧ ପ୍ରୟୋଗ କରିଥିଲେ। ତେଣୁ ହାତୀ ଧାନ ଫସଲ ଖାଇବା କାରଣରୁ ବିଷକ୍ରିୟା ଯୋଗୁଁ ପ୍ରାଣ ବିକଳରେ ରଡ଼ି କରି ଏଣେତେଣେ ଧାଇଁବା ସହ ପାଖ ଚୁଲିଆକାନି ପତ୍ରା ଜଙ୍ଗଲରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।

publive-image

ଜମନକିରା ପ୍ରାଣୀଧନ ଚିକିତ୍ସକ ଶିଶିର ଲେଙ୍କା ଛୁଟିରେ ଥିବାରୁ ଅପରାହ୍‌ଣ ୫ଟାରେ ସମ୍ବଲପୁରରୁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଡାକି ଉଭୟ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ମୃତ ଦୁଇ ହାତୀର ଶରୀରରୁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରକୁ ପଠାଯାଇଛି। ସେଠାରୁ ବାହାରକୁ ମଧ୍ୟ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି କହାଯାଉଛି। ଏହି ଘଟଣାରେ ବନ୍ୟ ଜନ୍ତୁ ସୁରକ୍ଷା ଆଇନ୍ ଅନୁଯାୟୀ, ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବିଭାଗ ସୂତ୍ରରୁ ପ୍ରକାଶ। ତେବେ ଦୁଇ ହାତୀ ମୃତ୍ୟୁ ଘଟଣାର କାରଣ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ସୂଚନା କିମ୍ବା ମନ୍ତବ୍ୟ ଦେବାକୁ କେହି ମୁହଁ ଖୋଲୁ ନାହାନ୍ତି। ଅପରପକ୍ଷରେ ଏଭଳି ସମ୍ବେଦଶୀଳ ଘଟଣାରେ ଗିରଫଦାରି ଆଶଂକାରେ ଏବେ ତିଲେଇମାଲ୍ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଅନ୍ୟ ପଟେ ଗତ ୩ ବର୍ଷ ମଧ୍ୟରେ ସର୍ଡା ପଞ୍ଚାୟତ ଅଞ୍ଚଳରେ ଲଗାତାର ୬ଟି ହାତୀ ମୃତ୍ୟୁ ହେବା ବନ ବିଭାଗର ଦାୟିତ୍ୱବୋଧ ଓ ଏଠାରେ ଅବସ୍ଥାପିତ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe