ରାଜ୍ୟର ବିକାଶ ପାଇଁ ଦୁଇ ଇଞ୍ଜିନ୍‌କୁ ଏକମୁହାଁ ହେବାକୁ ପଡ଼ିବ: ଧର୍ମେନ୍ଦ୍ର

Advertisment

କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୨୧

କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୨୧

ରାଜ୍ୟର ବିକାଶ ପାଇଁ ଦୁଇ ଇଞ୍ଜିନ୍‌କୁ ଏକମୁହାଁ ହେବାକୁ ପଡ଼ିବ: ଧର୍ମେନ୍ଦ୍ର

ଭୁବନେଶ୍ବର : ବିଜେପି ନିର୍ବାଚନ ସମୟରେ ଡବଲ୍‌ ଇଞ୍ଜିନ ସରକାର କଥା କହିଆସୁଛି। କାରଣ କେନ୍ଦ୍ରରେ ଯେଉଁ ଦଳ ଦାୟିତ୍ବରେ ରହିବ ଓ ରାଜ୍ୟରେ ସେହି ଦଳ ଦାୟିତ୍ବରେ ରହିଲେ ନିର୍ଣ୍ଣୟଗୁଡ଼ିକ ଅଧିକ ତ୍ବରାନ୍ବିତ ହୋଇପାରିବ। ହେଲେ ଓଡ଼ିଶାରେ ଡବଲ ଇଞ୍ଜିନ ନାରା ସଫଳ ହୋଇ ପାରିନାହିଁ। ତେବେ ରାଜ୍ୟରେ ଶିଳ୍ପାୟନ, ଢାଞ୍ଚାଗତ ନିବେଶ, ଉପକୂଳ ରାଜପଥ, ପଶ୍ଚିମ ଓଡ଼ିଶାରେ କୃଷି ବିପଣନ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି। ଅନେକ କ୍ଷେତ୍ରରେ କିନ୍ତୁ ସହଯୋଗ ମିଳୁନାହିଁ। ତେଣୁ ରାଜନୈତିକ ମତରେ ଡବଲ ଇଞ୍ଜିନ ହେଲେ ଭଲ; ନଚେତ୍ ବିକାଶ ପାଇଁ ଦୁଇ ଇଞ୍ଜିନକୁ ଏକମୁହଁା କରାଇଲେ ରାଜ୍ୟର ତଥା ଲୋକଙ୍କର ଲାଭ ହେବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନିର୍ମାଣ କନ୍‌କ୍ଲେଭ୍‌ର ଉଦ୍‌ଯାପନୀ ଅଧିବେଶନରେ କନକ ନ୍ୟୁଜ୍‌ର ସହଯୋଗୀ ସଂପାଦକ ସ୍ବୟଂପ୍ରକାଶ ମହାପାତ୍ରଙ୍କ ସହ ଆଲୋଚନାବେଳେ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସର ଡବଲ ଇଞ୍ଜିନ ସରକାର ରହିଥିଲା। ଏହା ସତ୍ତ୍ବେ ରାଜ୍ୟରେ ଯେତିକି କାର୍ଯ୍ୟ ହେବା କଥା‌, ତାହା ହୋଇପାରିଲା ନାହିଁ। ବିଜେପି ଓ ବିଜେଡି ପରସ୍ପର ଅଲଗା। ଅନେକ ପ୍ରସଙ୍ଗରେ ମଧ୍ୟ ଦୁଇ ଦଳ ଭିତରେ ମତଭେଦ ରହିଛି। ଗତ ନିର୍ବାଚନରେ ଦୁହେଁ ପରସ୍ପର ବିରୋଧରେ ଲଢ଼େଇ କରିଛନ୍ତି। ବିଜେପି ଡବଲ ଇଞ୍ଜିନ ସରକାର ନାରା ଦେଇଥିବା ବେଳେ ବିଜେଡି ଦିଲ୍ଲୀରେ ଅସ୍ଥିର ସରକାର ହେବ ବୋଲି କହି ଆସୁଥିଲା। ତେଣୁ ଚାବିକାଠି କିଭଳି ଦଳ ପାଖରେ ରହିବ ବିଜେଡି ନେତାମାନେ ଲୋକଙ୍କ ଆଗରେ ତାହା କହୁଥିଲେ। ହେଲେ ଓଡ଼ିଶାର ଲୋକମାନେ ରାଜ୍ୟରେ ବିଜେଡିକୁ ଜିତାଇଥିବା ବେଳେ ୮ଟି ଆସନରେ ବିଜେପିର ସାଂସଦ ବିଜୟୀ କରି ମୋଦିଙ୍କ ଉପରେ ଭରସା କରିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ ଗୋଟିଏ ସମାଜକୁ ଗଢ଼ିବା ପାଇଁ ଅନେକ ବିଷୟରେ ସହମତି ହୋଇପାରିବ। କେନ୍ଦ୍ରାପଡ଼ାରେ ଷ୍ଟିଲ୍‌ ପ୍ଲାଣ୍ଟ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି ରହିଛି। ଏଥିରେ ଓଡ଼ିଶାର ରାଜସ୍ବ ବଢ଼ିବ, ଶିଳ୍ପାୟନ ଓ ବେକାର ଯୁବକଙ୍କୁ ରୋଜଗାର ପାଇଁ ବୁଝାମଣା ହୋଇଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଯେଉଁ ଭଳି ଭାବେ ରାଜ୍ୟରେ ହଡ଼ପ କରିବାକୁ ଉଦ୍ୟମ କରାଗଲା ତାହା ବିରୋଧରେ ‌ରାଜ୍ୟର ସାଂସଦମାନେ କେନ୍ଦ୍ର ସରକାରଙ୍କୁ ସୂଚନା ଦେବାକୁ ଦୁଇ ଦଳ ଭିତରେ ଗୁପ୍ତ ବୁଝାମଣା ନା ମଧୁଚନ୍ଦ୍ରିକା ବୋଲି କୁହାଯିବ? ଯେଉଁ ବିଷୟରେ ସହମତି ରହିଛି ତାହାକୁ ବଢ଼ାଇବାକୁ ଗଣମାଧ୍ୟମ ଉଦ୍ୟମ କରୁ। ମାତ୍ର ଯେଉଁ ବିଷୟରେ ଅସହମତି ରହିଛି ତାହା ଉପରେ ନିରପେକ୍ଷ ଭାବେ ଗଣମାଧ୍ୟମ ଆଲୋଚନା କରିବା ଦରକାର। ଯାହା ଫଳରେ ଲୋକମାନେ ପ୍ରକୃତ ସତ୍ୟ କ’ଣ ଜାଣିପାରିବେ। ଏକ ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଲେ ଯେ କେରଳରେ ବାମପନ୍ଥୀ ଦଳ ସହିତ ବିଜେପିର ବୈଚାରିକ ମତଭେଦ ରହିଛି। ହେଲେ ଅନେକ କ୍ଷେତ୍ରରେ ଦଳୀୟ ଭାବନାରୁ ଉଠି ଦୁଇ ସରକାର ଏକାଠି ହୋଇପାରିଛନ୍ତି।

ବିକାଶ ପାଇଁ ଘରୋଇ କ୍ଷେତ୍ରରୁ ନିବେଶ ଆଣିବାକୁ ପଡ଼ିବ ବୋଲି ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଲେ; ଏଥିପାଇଁ ଆମକୁ ଆବଶ୍ୟକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ନିବେଶ ହେଲେ ସ୍ଥାନୀୟ ଅର୍ଥନୀତିରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ପୂର୍ବରୁ ପୋସ୍କୋ ଓ ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ସୁଯୋଗ ରହିଥିଲା। ହେଲେ ଏହା ଆଗେଇ ନ ପାରିବା ଆମର ସାମୂହିକ ବିଫଳତା। ଓଡ଼ିଶାରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଯେତେ ଅଧିକ ପୁଞ୍ଜି ରାଜ୍ୟକୁ ଆସିବ ସେହି ପରିମାଣର ରାଜସ୍ବ ଓ ଯୁବକଙ୍କୁ ରୋଜଗାରର ସୁବିଧା ମିଳିବ। ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାରେ ଅନେକ ସମ୍ଭାବନା ରହିଛି। ତେଣୁ ଖୁବଶୀଘ୍ର କ୍ରୁଡ୍ ଷ୍ଟିଲ ଉତ୍ପାଦନରେ ଆମେ ଏକ ନମ୍ବର ରାଜ୍ୟ ହେବାକୁ ଯାଉଛୁ।

ଓବିସି ସଂରକ୍ଷଣ ମତଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ। ମଣ୍ଡଳ କମିସନ ଲାଗୁ ହେବା ପରେ ମଧ୍ୟ ଓଡ଼ିଶାରେ କମିସନ ଦେଇଥିବା ପ୍ରସ୍ତାବ ଶିକ୍ଷାନୁଷ୍ଠାନ କିମ୍ବା ଚାକିରି କ୍ଷେତ୍ରରେ ଏହାକୁ ଲାଗୁ କରାଯାଇ ନାହିଁ। ଯେ ପର୍ଯ୍ୟନ୍ତ ବହୁ ସଂଖ୍ୟକ ସମାଜର କଲ୍ୟାଣ ପାଇଁ ସରକାର ଚିନ୍ତା କରିବେ ନାହିଁ, ସମାଜର ବିକାଶ ହୋଇପାରିବ ନାହିଁ। ଓବିସିମାନେ କୌଣସି ନିର୍ଦ୍ଦିଷ୍ଟ ଦଳ ସହିତ ‌ଯୋଡ଼ି ହୋଇ ନାହାନ୍ତି। ସେମାନେ ସବୁ ଦଳ ସହିତ ରହିଛନ୍ତି। ମାତ୍ର ସେମାନଙ୍କର ଯେଉଁ ସାମ୍ବାଧାନିକ ଅଧିକାର ରହିଛି ତାହାକୁ ସେମାନଙ୍କୁ ହାସଲ କରିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe