ଧରାପଡ଼ିଲେ ୨ ନକଲି ପୁଲିସ୍‌, ସ୍ପେସାଲ୍‌ ସ୍କ୍ବାଡ୍‌ ଆଳରେ ବଟି ମାଗୁଥିଲେ

Advertisment
ଧରାପଡ଼ିଲେ ୨ ନକଲି ପୁଲିସ୍‌, ସ୍ପେସାଲ୍‌ ସ୍କ୍ବାଡ୍‌ ଆଳରେ ବଟି ମାଗୁଥିଲେ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଅଂଚଳରେ କିଛି ଦିନ ହେଲା ପୁଲିସ୍‌ର ନକଲି ସ୍ପେସାଲ୍‌ ସ୍କ୍ବାଡ୍‌ ଘୂରି ବୁଲୁଥିଲେ। ଧମକ ଦେଇ ଲୋକଙ୍କ ଠାରୁ ବଟି ମାଗୁଥିଲେ। ‘ପୁଲିସ୍‌’ ଲେଖାଥିବା ଚକଚକିଆ ଜ୍ୟାକେଟ୍‌ ପିନ୍ଧି ଏହି ନକଲି ପୁଲିସ୍‌ ଅତାବିରା ଅଂଚଳରେ ଆତଙ୍କ ଖେଳାଇ ଚାଲିଥିଲେ। ଏହି ଗ୍ୟାଙ୍ଗର ୨ଜଣ ସଦସ୍ୟ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ସେମାନେ ହେଲେ ବଲାଂଗୀର ଜିଲ୍ଲା ସିନ୍ଦୁରବାହାଲ ଗାଁର ସୁମନ ଶେଖର ପାଣିଗ୍ରାହୀ ଏବଂ ବରଗଡ଼ ସହର କେନାଲପଡ଼ା ଅଂଚଳର ରାଜେଶ ମେହେର। ସେମାନଙ୍କ ପାଖରୁ ଗୋଟିଏ ବାଇକ୍‌, ଦୁଇଟି ପୁଲିସ୍‌ ଜ୍ୟାକେଟ୍‌, ୪ଟି ମେ‌ାବାଇଲ୍‌, ଗୋଟିଏ ଲୁହା ପାଇପ୍‌ ଏବଂ ୨ହଜାର ଟଙ୍କା ଜବତ ହୋଇଛି।

ଅଭିଯୁକ୍ତମାନେ ୧୪ ତାରିଖ ରାତିରେ ଅତାବିରା ଥାନା ଅନ୍ତର୍ଗତ ରେଂଗାଲି ନିକଟସ୍ଥ କର୍ଲାଟିକ୍ରା ଗାଁରେ ଟୁନା ମିର୍ଦ୍ଧାଙ୍କ କିରାନା ଦୋକାନରେ ପହଂଚିଥିଲେ। ସେଠାରେ ନିଜକୁ ପୁଲିସ୍‌ର ସ୍ପେସାଲ୍‌ ସ୍କ୍ବାଡ୍‌ର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ପରେ ଏତେ ରାତିରେ କାହିଁକି ଦୋକାନ ଖୋଲିଛ, ବୋଲି ତାଗିଦ କରିଥିଲେ। ୨ହଜାର ଟଙ୍କା ନଦେଲେ ଜେଲ୍‌ରେ ପୂରାଇ ଦେବେ ବୋଲି ଡରାଇଥିଲେ। ଏହା ପୂର୍ବରୁ ଅଭିଯୁକ୍ତ ଦ୍ୱୟ ୬ ତାରିଖ ରାତିରେ ଅତାବିରା ପୁଲିସ୍‌ ଷ୍ଟେସନ୍‌ ଅଂଚଳରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ୨ଟି ମୋବାଇଲ୍‌ ଏବଂ ୮ହଜାର ଟଙ୍କା ଲୁଟି ନେଇଥିବା ସ୍ୱକାର କରିଛନ୍ତି। ଏମାନଙ୍କ ନାମରେ ବରଗଡ଼ ଟାଉନ ଓ ସଦର ଥାନା, ବଲାଂଗୀର ଟାଉନ ଥାନା ଅଂଚଳରେ ଗୁଡ଼ାଏ ଅପରାଧିକ ମାମଲା ଥିବା ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe