ଚକଡ଼ା ଚଡ଼କ : ଆଉ ୨ ଚାଷୀ ଜୀବନ ହାରିଲେ

ଚାଷୀ ଆତ୍ମହତ୍ୟା ଅଭିଯୋଗ : ସପ୍ତାହକ ମଧ୍ୟରେ ଚାଲିଗଲେ ପରିବାରର ୩

Photo by : newindianexpress.com

ସମ୍ବଲପୁର/ବରଗଡ଼ : ଚକଡ଼ା ପୁଣି ନେଇଛି ଜୀବନ। ପୁଣି ଗଡ଼ିଛି ଦୁଇଜଣ ଚାଷୀଙ୍କ ମୁଣ୍ଡ। ଚକଡ଼ା ପୋକ ଯୋଗୁଁ ଫସଲ ହରାଇ ଥିବା ସମ୍ବଲପୁରର ଜଣେ ଗରିବ ଆଦିବାସୀ ଚାଷୀ ଓ ବରଗଡ଼ର ଜଣେ ଯୁବ ଚାଷୀ ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର ନିକଟ ରାସନପୁର ଗାଁର ଗରିବ ଆଦିବାସୀ ଚାଷୀ କାହ୍ନ ମୁଣ୍ଡା (୫୫) ସୋମବାର ସଂଧ୍ୟାରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ନାମମାତ୍ର ଚାଷୀ କାହ୍ନ ଏଥର ସାଢ଼େ ତିନି ଏକର ଜମିରେ ଧାନ ଚାଷ କରିଥିଲେ। ତେବେ ଚକଡ଼ା ଲାଗି ତାଙ୍କର ବହୁ ପରିମାଣର ଫସଲ ନଷ୍ଟ ହୋଇ ଯାଇଥିଲା। ସୋମବାର ସଂଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ବିଷ ପିଇ ଦେଇଥିବା କୁହାଯାଉଛି। ସେଠାରୁ ସେ ଘରକୁ ଫେରି ଆସି ଖଟରେ ଶୋଇଥିଲେ। ତେବେ ଘର ଲୋକ ଆସି ସେ ଅସୁସ୍ଥ ଥିବା ଦେଖି ତାଙ୍କୁ ସଦର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଏଥର ଚାଷୀ ପାଇଁ ପ୍ରାୟ ୬୦ ହଜାର ଟଙ୍କା ହାତ ଉଧାରି କରିଥିଲାବେଳେ ସରକାରୀ ଲୋନ୍‌ ସଂପର୍କରେ ଜଣା ପଡ଼ି ନାହିଁ। ତେବେ ଫସଲ ନଷ୍ଟ ଓ ଋଣ କଷ୍ଟରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଟୁନା ମୁଣ୍ଡା କହିଛନ୍ତି।

ସେହିପରି ବରଗଡ଼ ବ୍ଲକ ସରସରା ଅନ୍ତର୍ଗତ ବେହେରା ଗାଁରେ ଜଣେ ଯୁବ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ପ୍ରଦୀପ ଖମାରୀ (୨୨)। ପ୍ରଦୀପଙ୍କ ପିତା ଉପେନ୍ଦ୍ରଙ୍କ କହିବା ହେଲା, ପୁଅ ଦେଢ଼ ଏକର ଜମିରେ ବହୁ କଷ୍ଟେମଷ୍ଟେ ଧାନ ଚାଷ କରିଥିଲା। ହେଲେ ଚକଡ଼ା ପୋକ ଯୋଗୁଁ ସବୁ ଫସଲ ନଷ୍ଟ ହୋଇଯାଇଛି। ଚାଷ ପାଇଁ ଆଗରୁ ୩୦ହଜାର ଟଙ୍କା ହାତ ଉଧାରି କରିଥିଲେ। ଚାଷବାସ ଉଜୁଡ଼ି ଯିବାରୁ ପ୍ରଦୀପ ମାନସିକ ଅବସାଦରେ ରହୁଥିଲେ। ସୋମବାର ଘରେ ଖିଆପିଆ ସାରିବା ପରେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ଘରଲୋକେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe