ନଦୀବନ୍ଧରେ ଘଳିଆ: କୁଜଙ୍ଗରେ ଗୋଟିଏ ଦିନରେ ୨ ଘାଇ; କାଳ ହେଲା ପାଇକା, ମହାନଦୀ

Advertisment

୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି, ଗାଁ ଦାଣ୍ଡରେ ଚାଲୁଛି ୬ ଫୁଟ୍‌ର ପାଣି

୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି, ଗାଁ ଦାଣ୍ଡରେ ଚାଲୁଛି ୬ ଫୁଟ୍‌ର ପାଣି

ନଦୀବନ୍ଧରେ ଘଳିଆ: କୁଜଙ୍ଗରେ ଗୋଟିଏ ଦିନରେ ୨ ଘାଇ; କାଳ ହେଲା ପାଇକା, ମହାନଦୀ

କୁଜଙ୍ଗ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଓ ଆଖପାଖ ଅଞ୍ଚଳ ପାଇଁ କାଳ ହୋଇଛି ମହାନଦୀ ଓ ପାଇକା ନଦୀ। ବୁଧବାର ଗୋଟିଏ ଦିନରେ ଅପ୍ରତ୍ୟାଶିତ ଭାବେ ଦୁଇଟି ଘାଇ ହେବା ଫଳରେ ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି ହୋଇଛନ୍ତି। ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ ଦଳ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ବୁଧବାର ଦିନ ସାଢ଼େ ଏଗାରଟା ସମୟରେ ସାଇଲୋ ପଂଚାୟତର ମହାନଦୀର ଦକ୍ଷିଣରେ ତଥା ତାଳଦଣ୍ତା କେନାଲ ବନ୍ଧ ଉତ୍ତର ପାର୍ଶ୍ବରେ ରହିଥିବା ତେରମାଣପୁର, କୋଠସାହି ଅଞ୍ଚଳକୁ ବନ୍ୟାରୁ ସୁରକ୍ଷା ଦେବାକୁ ନିର୍ମିତ ରିଙ୍ଗବନ୍ଧରେ ଘାଇ ହୋଇଯାଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ବାରମ୍ବାର ତନଖି ଓ ତଦାରଖ ସତ୍ତ୍ବେ ଏହି ଘାଇ ହୋଇଥିଲା। ଏଠାରେ ୬୦ ଫୁଟରୁ ଅଧିକ ଓସାରରେ ଘାଇ ହେବାଫଳରେ ତେରମାଣପୁର ଓ କୋଠସାହୀ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ଗାଁ ଦାଣ୍ତରେ ୬ ଫୁଟରୁ ଅଧିକ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଲୋକେ ନିଜନିଜ ଘର ଛାତ ଉପରେ ଆଶ୍ରୟ ନେଇଥିଲେ। ଅପ୍ରତ୍ୟାଶିତ ଭାବେ ଏଭଳି ହୋଇଥିବାରୁ ଲୋକେ ସେମାନଙ୍କ ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ସୁରକ୍ଷିତ ରଖି ପାରି ନଥିଲେ। ଗୃହପାଳିତ ପଶୁମାନେ ବି ଗୁହାଳ ଘରେ ପାଣି ଭିତରେ ରହିଥିଲେ। ଓଡ୍ରାଫ ଏବଂ ଏନଡ଼ିଆରଏଫ ବାହିନୀ ପହଞ୍ଚି ଗୃହପାଳିତ ପଶୁ, ଗୃହ ଉପକରଣ କିଛିମାତ୍ରାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଏହି ଦୁଇଟି ଗ୍ରାମର ପ୍ରାୟ ୨ଶହ ପରିବାରର ହଜାରରୁ ଉର୍ଦ୍ଧ୍ବ ଲୋକେ ଏବେ ଜଳବନ୍ଦି ଅବସ୍ଥାରେ ରହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ବନ୍ଧରେ ଘାଇ ପୂର୍ବରୁ କେବଳ ୨୦୧୧ ମସିହା ବନ୍ୟାରେ ହୋଇଥିଲା। ୨୦୧୪, ୨୦୧୯ ବନ୍ୟାରେ ଏହି ବନ୍ଧ ସୁରକ୍ଷିତ ରହିଥିଲା। ବନ୍ଧ ସୁରକ୍ଷାରେ ଜଳସମ୍ପଦ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା ଘଟିଛି।

ଅନ୍ୟପଟେ ବୁଧବାର ପ୍ରାୟ ଅପରାହ୍ନ ସାଢେ ତିନିଟାରୁ ଚାରିଟା ମଧ୍ୟରେ କାଠକୋଟ–ବାଣସରା ଠାରେ ଥିବା ବନ୍ୟା ପ୍ରତିରୋଧକ ରିଙ୍ଗ୍‌ବନ୍ଧରେ ମଧ୍ୟ ପାଇକା ନଦୀପଟୁ ଘାଇ ହୋଇଥିଲା। ପୂର୍ବରୁ ଯେତେଥର ବନ୍ୟା ହୋଇଛି, ଏହି ବନ୍ଧରେ କେବେ ଘାଇ ହୋଇନଥିବା ବେଳେ ଚଳିତ ବର୍ଷ ବନ୍ୟାରେ ଏଠି ପ୍ରଥମଥର ଘାଇ ହୋଇଛି। ପାଇକା ନଦୀର ଦକ୍ଷିଣରେ ଥିବା ଏହି ବନ୍ଧରେ ଘାଇ ହେବାଫଳରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe