କବରସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ଶବ ରାସ୍ତାରେ ରଖି ୭ଘଣ୍ଟା ବସିଲେ

କବରସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ : ଶବ ରାସ୍ତାରେ ରଖି ୭ଘଣ୍ଟା ବସିଲେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ମାଜୁମାହା ଗ୍ରାମରେ କବରସ୍ଥାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଏଭଳିକି ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ରାସ୍ତାରେ ଶବ ରଖି ୭ ଘଣ୍ଟା ବସି ରହିବା ପରେ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ବୁଝାସୁଝା କରିଥିଲା। ପରେ ଶବକୁ କବର ଦିଆଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁସାରେ ମାଜୁମାହା ଗ୍ରାମର ଗଣ୍ଡାଲ ଦିଗାଲଙ୍କ ଗତକାଲି ସନ୍ଧ୍ୟା ୭ଟାରେ ମୃତ୍ୟୁ ହୋଇଥିଲା। ରାତି ହୋଇଥିବା ହେତୁ ଆଜି ସକାଳୁ ଶବକୁ କବର ଦେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। କିନ୍ତୁ କବର ଦେବା ଜମିକୁ ନେଇ ବିବାଦ ଦେଖାଦେଇଥିଲା। ତିନି ପୁରୁଷରୁ ଯେଉଁ ଜମିରେ କବର ଦିଆଯାଇଥିଲା ସେହି ଜମିରେ କବର ଦେବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ରାଇକିଆ ଥାନାରେ ଖବର ପହଁଚିବା ପରେ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘୁ.ଉଦୟଗିରି ବିଡିଓ ବିଜୟ ପ୍ରଧାନ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମେହେରଙ୍କୁ ଖବର ଦେଇଥିଲେ। ପ୍ରାଶାସନିକ ଅଧିକାରୀ ଏବଂ ପୁଲିସ ଉପସ୍ଥିତିରେ ବହୁ ସମୟ ବୁଝାସୁଝା ପରେ ଉକ୍ତ ଜମିରେ କବର ଦେବା ଲାଗି ନିଷ୍ପତ୍ତି ହୋଇଥିଲା। କବର ଦେବା ସ୍ଥଳକୁ ନେଇ ଏକ ମାମଲା ଏବେ ଉଚ୍ଚ ନ୍ୟାୟାାଳୟଙ୍କ ବିଚାରାଧୀନ ରହିଛି। ହେଲେ କମ୍ୟୁନିଟି ଅଫ୍‌ ଫରେଷ୍ଟ୍ ଆକ୍ଟ ରାଇଟ୍‌ ବଳରେ କୁଇ ସମାଜ ପକ୍ଷରୁ ଏହି ଜମିକୁ ସଫା କରାଯାଇଥିବା ଜଣାପଡ଼ିଛି। ତେଣୁ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆଗାମୀ ଦିନରେ ଦୁଇ ଗୋଷ୍ଠୀଙ୍କୁ ନେଇ ବୈଠକ କରି ବାଟ ବାହାର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe