ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଗୋଳାପୋଖରୀ ପଞ୍ଚାୟତ କରଡ଼ାପଲ୍ଲୀ ଗାଁରେ ଗଣେଶ ପୂଜା ଭସାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଗଣ୍ଡଗୋଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ହରିହର ସ୍ବାଇଁ (୭୧)। ମିଳିଥିବା ସୂଚନା ମୁତାବକ, ଗୋଳାପୋଖରୀ ପଞ୍ଚାୟତ ପାଥପୁର ଓ କରଡ଼ାପଲ୍ଲୀ ଗାଁ ମଧ୍ୟରେ ଭସାଣକୁ ନେଇ ପୂର୍ବରୁ ବିବାଦ ରହିଥିଲା। ପ୍ରତିବର୍ଷ ପୂଜାକୁ ବେଶ୍ ଧୁମ୍ଧାମ୍ରେ ପାଳନ କରି ପାଥପୁର ଗାଁର ଯୁବକମାନେ ଭସାଣ ଶୋଭାଯାତ୍ରା କରନ୍ତି ଏବଂ ଏହାକୁ କରଡ଼ାପଲ୍ଲୀ ଗାଁର କିଛି ଯୁବକ ବିରୋଧ କରନ୍ତି। ଆଜି ମଧ୍ୟ ସମାନ ଢଙ୍ଗରେ ପାଥପୁର ଗାଁର ଯୁବକମାନେ ଭସାଣ ଶୋଭାଯାତ୍ରା ନେଇ ଯାଉଥିବା ବେଳେ କରଡ଼ାପଲ୍ଲୀରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଭୟଙ୍କର ରୂପ ନେଇ ଧସ୍ତାଧସ୍ତି ଓ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଏହି ସମୟରେ ଗାଁର ପ୍ରାୟ ସମସ୍ତ ଯୁବକ ଓ ବୃଦ୍ଧ ସେଠାରେ ସଙ୍ଗଠିତ ହୋଇଥିଲେ।
କରଡ଼ାପଲ୍ଲୀ ଗଁାରେ ଦୁଇ ଗୋଷ୍ଠୀ ମୁହଁାମୁହିଁ
ପୁଲିସ ଫୋର୍ସ ମୁତୟନ
ଘଟଣାସ୍ଥଳରେ ଲୋକସଂଖ୍ୟା ବଢ଼ିବା ସାଙ୍ଗକୁ ପାଟିତୁଣ୍ଡ ଓ ଠେଲାପେଲା ଜୋର୍ ହୋଇଥିଲା। ପାଟି ଶୁଣି ହରିହରଙ୍କ ପୁଅ ରଶ୍ମିରଂଜନ ସ୍ବାଇଁ (୪୦) ସେଠାରେ ପହଞ୍ଚି ଭସାଣରେ ଏତେ ଜୋର୍ରେ ଡିଜେ କାହିଁକି ବଜାଉଛ ବୋଲି ପଚାରିଥିଲେ। ଏହାକୁ ନେଇ ପାଥପୁରର ଯୁବକମାନଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଘଟଣା ଅଣାୟତ୍ତ ହେଉଥିବା ଦେଖି ହରିହର ସେଠାରେ ପହଞ୍ଚି ସମସ୍ତଙ୍କୁ ଆକଟ କରିବା ସହ ରଶ୍ମିଙ୍କୁ ସାଥୀରେ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ହରିହରଙ୍କୁ ସେମାନେ ଆକ୍ରମଣ କରିବା ଫଳରେ ହରିହର ସେଠାରେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ହରିହରଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଗାଁରେ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୁଲିସ ପଇଁତରା ମାରୁଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Follow Us