ଆଇଇଡି ବୋମା ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

କମ୍ବିଂ ବେଳେ ଯବାନ- ମାଓବାଦୀ ମୁହାଁମୁହିଁ

ଆଇଇଡି ବୋମା ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଲାଲଗଡ଼ କୁହାଯାଉଥିବା ସୁନାବେଡ଼ା ଅଭୟାରଣ୍ୟ ଅଚଂଳରେ ମାଓବାଦୀମାନେ ଦୁଇବର୍ଷର ନିରବତା ପରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ଅଭୟାରଣ୍ୟ ସଂଳଗ୍ନ ବୋଡ଼େନ ବ୍ଲକର ଦୁର୍ଗମ ଅଂଚଳ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଠାବ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଂଚଳରେ ନୂଆପଡ଼ା ଜିଲ୍ଲା ପୁଲିସ ପକ୍ଷରୁ ଗତ ୩ ଦିନ ହେବ ଏସଓଜି ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଥିଲେ।

ରବିବାର ଦିନ ୧୨ଟା ସମୟରେ ଯବାନମାନେ ପାଟଧରା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବଡ଼ଝୁଲାଠାରେ ଏକ ମାଓ କ୍ୟାମ୍ପ ଥିବା ସୂଚନା ପାଇ ଯାଉଥିଲେ। ମାଓବାଦୀମାନେ ଯବାନ ଆସୁଥିବା ଆଭାସ ପାଇ  କ୍ୟାମ୍ପ ନିକଟସ୍ଥ ଏକ ଗଛରେ ଖଞ୍ଜା ଯାଇଥିବା ଆଇଇଡି ବୋମାକୁ ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ଯବାନଙ୍କ ପକ୍ଷରୁ ୫ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ମାଓବାଦୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଏହି କ୍ୟାମ୍ପରେ ୩୦ରୁ ୪୦ ମାଓବାଦୀ ଥିବା ଓ ସେମାନେ ସମସ୍ତେ ଛତ୍ରଭଙ୍ଗ ଦେଇଥି ଜଣାପଡ଼ିଛି।

ଯବାନଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇ ଥାଇପାରନ୍ତି ବୋଲି ଏସପି ସ୍ମିତ ପରମାର ପ୍ରକାଶ କରିଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଯବାନ ପଶ୍ଚିମବଙ୍ଗଳର ସମିର ଲାମା(୨୫) ଏବଂ କୋରାପୁଟ ନାନୁପାଟଣାର ପ୍ରହଲ୍ଲାଦ ଉଲକା (୨୬)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା  ଜରୁରିକାଳୀନ ଡା. ଜୟପ୍ରକାଶ ସାହୁ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ମାଓ କ୍ୟାମ୍ପରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ କମ୍ବିଂ ଅପରେସନକୁ ଜାରି ରଖାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe