Kashmir Observer
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ରେ ପିସି ଭାଗବଣ୍ଟାର ଭଡିଓ ଭାଇରାଲ୍ ହୋଇଥିଲା। ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସୋମବାର ଜିଲ୍ଲାପାଳ ୨ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି।
ପ୍ରକାଶଥାଉ କି, କିଛି ମାସ ତଳେ ସିନାପାଲି ବ୍ଲକ୍ କାପସୀ ଗ୍ରାମର ଆମ ଗାଁ ଆମ ବିକାଶ ପାଣ୍ଠିରେ ୫ଲକ୍ଷ ଟଙ୍କା ଅଟକଳରେ ନିର୍ମାଣ ଏକ ଗୋଷ୍ଠୀ ଗୃହ କାର୍ଯ୍ୟରେ ଅଭିଯୋଗକାରୀ ଗୋପୀନାଥ ହଂସ ଠିକାଦାର ଭାବେ କାର୍ଯ୍ୟ କରିଥିଲେ। ସମ୍ପୃକ୍ତ ୨ କନିଷ୍ଠ ଯନ୍ତ୍ରୀ ବାଧ୍ୟ କରି ଠିକାଦାରଙ୍କ ଠାରୁ ୧୮ ପ୍ରତିଶତ ପିସି ଦାବି କରିଥିଲେ। ପିସି ଦେବା ବେଳେ ଗୁପ୍ତରେ ଯନ୍ତ୍ରୀଙ୍କ ଭିଡିଓ ସୁଟିଂ ହୋଇଥିଲା। ଉକ୍ତ ଘଟଣାର କିଛି ଦିନ ପରେ ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ହୋଇଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ତଦନ୍ତ ଦଳ ଗଠନ ହୋଇଥିଲା। ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ, ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡିଆର୍ଡିଏ ପିଡି ଅମ୍ରିତ ପ୍ରଧାନ ତଦନ୍ତ ପାଇଁ ସିନାପାଲି ବ୍ଲକ୍କୁ ଯାଇଥିଲେ। ସେଠାରେ ବିଡିଓ ୨ ଯନ୍ତ୍ରୀଙ୍କୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ଶନିବାର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।
ଜିଲ୍ଲାପ୍ରଶାସନ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏନେଇ ବିଜେପି ଜିଲ୍ଲାପାଳ ଅଫିସ୍ ଘେରାଉ କରିଥିଲା। ଜିଲ୍ଲାପାଳଙ୍କ ନିର୍ଦେଶରେ ଚିଠି ନଂ ୨୩୫୦ ସୋମବାର ୧୯.୭.୨୦୨୧ରେ ସିନାପାଲି ବ୍ଲକ୍ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ି ଓ ଚିଠି ନଂ ୨୩୫୨ରେ ଯନ୍ତ୍ରୀ ନାରାୟଣ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିରେ ଅନ୍ୟ ଯେଉଁ ଅଧିକାରୀଙ୍କ ସମ୍ପୃକ୍ତି ଅଛି ସେମାନଙ୍କ ଉପରେ ଜିଲ୍ଲାପାଳ କେବେ ପଦକ୍ଷେପ ନେଉଛନ୍ତି ଜିଲ୍ଲାବାସୀ ଚାହିଁ ବସିଛନ୍ତି।
Follow Us