ନିଉଲକ୍ଷ୍ମୀ ଷ୍ଟିଲରେ ଦୁର୍ଘଟଣାରେ ଶ୍ରମିକ ମୃତ, ମିଶ୍ରିଲାଲରେ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ନିଉଲକ୍ଷ୍ମୀ ଷ୍ଟିଲରେ ଦୁର୍ଘଟଣାରେ ଶ୍ରମିକ ମୃତ, ମିଶ୍ରିଲାଲରେ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ

ଛତିଆ/ଯଖପୁରା: ଯାଜପୁର ଜିଲ୍ଲାର ଦୁଇଟି ଶିଳ୍ପରେ ଆଜି ଦୁଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମିଶ୍ରିଲାଲ କାରଖାନାରେ ଜଣେ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବ‌ାବେଳେ ଅନ୍ୟଟି ବୈରୀ ଥାନା ସମିଆବୁଢ଼ାକେନ୍ଦୁଆଠାରେ ଥିବା ନିଉଲକ୍ଷ୍ମୀ ଷ୍ଟିଲ ଆଣ୍ତ ପାୱାର ସ୍ପଞ୍ଜ ଆଇରନ କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ନିଉଲକ୍ଷ୍ମୀରେ ମୃତ ଶ୍ରମିକ ଛତିଶଗଡ଼ ରାଜ୍ୟର ବୋଲି ସୂଚନା ମିଳିଛି। ତାଙ୍କ ନାମ ବବୁନ୍ (୨୩)। ସେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ଆଜି ସକାଳେ ସେ କାରଖାନା ଭିତରେ ଧୂଆଁ ନିର୍ଗତ ହେଉଥିବା ୨୫ ଫୁଟ ଲମ୍ବ ଚିମିନିରେ ଜ୍ୟାକ୍‌ହାମର ଦ୍ବାରା ପୋଡ଼ାକୋଇଲା ଛଡ଼ାଉଥିଲେ। ସଫା କରିବା ସମୟରେ ହଠାତ ଉପରେ ପୂର୍ବରୁ ଲାଗିରହିଥିବା ବଡ଼ ଲୁହାଖଣ୍ଡ ତାଙ୍କ ମୁଣ୍ତ ଉପରେ ପଡ଼ିଥିଲା। ସେ ଲହୁଲୁହାଣ ହୋଇ ପାଟିକରି ତଳେ ପଡ଼ିଯାଇଥିଲେ। ସଙ୍ଗେସଙ୍ଗେ ଶ୍ରମିକ ଓ ବିଭାଗୀୟ କର୍ତ୍ତୃପକ୍ଷ ପହ‌ଞ୍ଚି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ। କମ୍ପାନିର ନିଜସ୍ବ ଗାଡ଼ିରେ ତାଙ୍କୁ ଧରି କଟକ ବଡ଼ଡାକ୍ତରଖାନାକୁ ନେଇଯାଇଥିଲେ।

ସେଠାରେ ଥିବା ସାଥୀ ଶ୍ରମିକଙ୍କ ସୂଚନା ଅନୁସାରେ ଘଟଣାସ୍ଥଳରେ ହିଁ ବବୁନଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ବୈରୀ ଥାନା ଅଧିକାରୀ ଖବର ପାଇ କାରଖାନାରେ ପହ‌ଞ୍ଚିଥିଲେ ମଧ୍ୟ କୌଣସି ଶ୍ରମିକଙ୍କଠାରୁ ନିର୍ଦିଷ୍ଟ ତଥ୍ୟ ନପାଇ ଫେରିଯାଇଥିଲେ ବୋଲି କହିଛନ୍ତି। ଅନ୍ୟପଟେ ଶ୍ରମିକଙ୍କୁ ନେଇ ଡାକ୍ତରଖାନା ଯାଇଥିବା ଲୋକମାନେ ଫୋନ କରି ଅପରାହ୍‌ଣରେ ବବୁନଙ୍କ ମୃତ୍ୟୁ ସଂପର୍କରେ କାରଖାନାର ଶ୍ରମିକମାନଙ୍କୁ ଜଣାଇଥିଲେ। ଏ ସଂପର୍କରେ କାରଖାନାର କୌଣସି ଅଧିକାରୀଙ୍କଠାରୁ ସୂଚନା ମିଳିପାରି ନାହିଁ।
ଏହି କାରଖାନାଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ବିପଦପୂର୍ଣ୍ଣ ଭାବରେ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି। ସୁରକ୍ଷାପାଇଁହେଲମେଟ ଓ ଅନ୍ୟ ସୁରକ୍ଷା ଉପକରଣ ଯଥା-ପୋଷାକ, ହେଲ୍‌ମେଟ୍‌ ଆଦି ପିନ୍ଧିବା ନିୟମ ପାଳନ କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଶ୍ରମିକଜଣଙ୍କ ଛତିଶଗଡ଼ର‌ ହୋଇଥିବାରୁ କୌଣସି ଅଶାନ୍ତି କିମ୍ବା ଉତ୍ତେଜନା ପ୍ରକାଶ ପାଇନଥିଲେ ହେଁ ଅନ୍ୟ ଶ୍ରମିକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଦୁର୍ଘଟଣା ବାବଦରେ ଏଠାରେ ଥିବା ଦୁଇଗୋଟି ଶ୍ରମିକ ସଙ୍ଗଠନ ମୁହଁ ଖୋଲି ନାହାନ୍ତି।

ମିଶ୍ରିଲାଲ କାରଖାନା ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ପଙ୍କପାଳ ବଙ୍ଗଳା ଛକଠାରେ ଥିବା ମିଶ୍ରିଲାଲ୍ ଫେରୋ ଆଲଏଜ କାରଖାନାରେ କାର୍ଯ୍ୟରତ ସୁପରଭାଇଜର ପଙ୍କପାଳ ଗ୍ରାମର ସନ୍ତୋଷ କୁମାର ରାୟ (୪୩)ଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ଆଜି କାରଖାନାରେ କାର୍ଯ୍ୟରତ ସମୟରେ ସେ ଅସୁସ୍ଥ ହୋଇପଡ଼ିବାରୁ ଘରକୁ ବିଶ୍ରାମ ନେବା ପାଇଁ ଚାଲି ଆସିଥିଲେ। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ଗ୍ରାମବାସୀ ସନ୍ଦେହଜନକ ମୃତ୍ୟୁ ବୋଲି ଦାବିକରି କ୍ଷତିପୂରଣ ଦାବି କରି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାରଖାନା କର୍ତ୍ତୃପକ୍ଷ ଓ ତାଙ୍କ ପରିବାର ଲୋକଙ୍କୁ ନେଇ ଆସନ୍ତାକାଲି କ୍ଷତିପୂରଣ ଦାବି ସମ୍ଵନ୍ଧୀୟ ଏକ ବୈଠକ ହେବ ବୋଲି ମାନବ ସମ୍ବଳ ବିଭାଗ ମୁଖ୍ୟ ଏସ୍ ଆର୍ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe