ବାଇକ୍‌ରୁ ପଡ଼ିଗଲେ ଲୁଟେରା; ଜଣେ ମୃତ, ଜଣେ ଗୁରୁତର, ଲୁଟ୍‌ର ଶିକାର ଆଇନଜୀବୀ ବି ଗୁରୁତର

ମାତିଛନ୍ତି ସାଇବର ଲୁଟେରା: ଅବସରପ୍ରାପ୍ତ ଯୁଗ୍ମ ସଚିବଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୧ଲକ୍ଷ ୩୦ହଜାରରୁ ଊର୍ଧ୍ବ ଟଙ୍କା ଗାଏବ୍‌

Times of India

ବଡ଼ମ୍ବା : ମଙ୍ଗଳବାର ରାତିରେ ଏକାଧିକ ସ୍ଥାନରେ ଟଙ୍କା ଛଡ଼ାଇବା ସହ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ବାଇକ୍‌ରେ ପଳାଉଥିବା ଦୁଇଜଣ ଲୁଟେରା ବାଇକ୍‌ରୁ ଖସି ପଳାଉଥିଲେ। ତେବେ ଗୋଡ଼ାଉଥିବା ଲୋକଙ୍କ ହାତରେ ଧରାପଡ଼ି ଦୁର୍ବୃତ୍ତଦ୍ବୟ ନିସ୍ତୁକ ମାଡ଼ ଖାଇବ‌ା ପରେ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ସେପଟେ ଲୁଟ୍‌ ସମୟରେ ସେମାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଗୋପବନ୍ଧୁ ମହାନ୍ତି ନାମକ ଜଣେ ଆଇନଜୀବୀ କଟକରେ ଚିକିତ୍ସିତ ହେଉଛନ୍ତି। ବଡ଼ମ୍ବା ପୁଲିସ ଏ ସଂପର୍କରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ଖବର ଅନୁସାରେ, ମଙ୍ଗଳବାର ରାତିରେ ବଡ଼ମ୍ବା ଥାନା ଅନ୍ତର୍ଗତ ପଦ୍ମନାଭପୁର ଅଞ୍ଚଳର ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ମାନସ ମହାନ୍ତି ଓ ବିଭୁପ୍ରସାଦ ସାହୁ ମଙ୍ଗରାଜପୁର, ବେଲିଆପାଳ ଆଦି ଅଂଚଳରେ ଲୋକମାନଙ୍କୁ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ୍ ଆଦି ଛଡାଇ ଆଣିବା ପରେ ରାତି ପ୍ରାୟ ୧୦ଟା ବେଳେ ଗୋପପୁରର ଆଇନଜୀବୀ ଗୋପବନ୍ଧୁ ମହାନ୍ତିଙ୍କୁ ତାଙ୍କ ଘର ଆଗରେ ଆକ୍ରମଣ କରିଥିଲେ। ଏକ ଧାରୁଆ କାତି ସାହାଯ୍ୟରେ ସେମାନେ ଶ୍ରୀ ମହାନ୍ତିଙ୍କୁ ଏକାଧିକ ଚୋଟ ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ କ୍ଷଣପ୍ରଭା ଘରୁ ବାହାରି ଆସି ରକ୍ଷା କରିବାକୁ ଯ‌ାଇଥିଲେ। ମାତ୍ର ସେ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କ ପାଟି ଶୁଣି ଗାଁ ଲୋକେ ଆସିଯିବାରୁ ଅପରାଧୀଦ୍ବୟ ନିଜ ପଲସର୍‌ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାତ୍ର ଗାଁ ଲୋକେ ସେମାନଙ୍କ ପିଛା କରିଥିଲେ। ଲୋକଙ୍କ କବଳୁ ଖସିଯିବା ପାଇଁ ଦ୍ରୁତ ଗତିରେ ପଳାଉଥିବା ବେଳେ ସେମାନେ ହଡ଼ବଡ଼ରେ ମୁଖ୍ୟରାସ୍ତା ଛାଡି କୃଷ୍ଣପୁର ଗାଁ ଆଡ଼କୁ ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେଠାରେ ଥିବା ହମ୍ପ୍‌ସରେ ପିଟିହୋଇ ଦୁହେଁ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ଲୋକେ କାବୁ କରି ନିସ୍ତୁକ ପିଟିଥିଲେ। ଖବର ପାଇ ବଡ଼ମ୍ବା ପୁଲିସ ଘଟଣାସ୍ଥଳରେ ପହଁଚି ସେ ଦୁହିଁଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଅପରାଧୀ ମାନସ ମହାନ୍ତିର ମୃତ୍ୟୁ ଘଟିଥିବାବେଳେ ବିଭୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ମଙ୍ଗରାଜପୁରର ମନୋଜ ତ୍ରିପାଠୀ ଏବଂ ବେଲିଆପାଳର ବିରଞ୍ଚି ନାରାୟଣ ମୁଦୁଲିଙ୍କ ଅଭିଯୋଗକ୍ରମେ ବଡମ୍ବା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ଆଇଆଇସି ପ୍ରଭାତ ମଲ୍ଲିକ ସୂଚନା ଦେଇଛନ୍ତି। ଆଜି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଲେଖଚନ୍ଦ୍ର ପହି ବଡ଼ମ୍ବା ଥାନାରେ ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe