ବାଲିଅନ୍ତା ବଜାର: ବିଶ୍ବାସଘାତକ ବନ୍ଧୁ ଷଡ୍‌ଯନ୍ତ୍ରରେ ହୋଇଥିବା ଚର୍ଚ୍ଚିତ ୨୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପାହାଳ ଥାନା ପୁଲିସ ଲୁଟ୍ ଅପରେଟର୍‌ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅଣ୍ଢରା ନଈକୂଳସାହିର ଜଗନ୍ନାଥ ମଲ୍ଲିକ ଓରଫ ଜଗା(୩୧)କୁ ବାନ୍ଧିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଗାଁସ୍ଥିତ ତା’ ଭଡ଼ାଘରୁ ତାକୁ ଗିରଫ କରିଛି। ତା’ଠାରୁ ୮ଲକ୍ଷ ଟଙ୍କା ଓ ଲୁଟ୍‌ରେ ବ୍ୟବହୃତ ପଲ୍‌ସର୍‌ ୨୨୦ ବାଇକ୍‌ ଜବତ କରାଯାଇଛି। କିନ୍ତୁ ଜଗାର ଅନ୍ୟ ଦୁଇ ସହଯୋଗୀ ଧରାପଡ଼ିନାହାନ୍ତି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଷଡ୍‌ଯନ୍ତ୍ର ରଚିଥିବା ବନ୍ଧୁ ସରୋଜ ସୂତାର ସମେତ ୩ଜଣଙ୍କୁ ଗିରଫ କରିଛି ଏବଂ ଲୁଟ୍‌ ହୋଇଥିବା ୨୦ ଲକ୍ଷ ଟଙ୍କାରୁ ୧୩ ଲକ୍ଷ ୭୦ ହଜାର ଟଙ୍କା ଜବତ କରିପାରିଛି। ବାକି ଟଙ୍କାତକ ଫେରାର ହୋଇଯାଇଥିବା ୨ ଅପରାଧୀଙ୍କ ପାଖରେ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଖୁବ୍‌ଶୀଘ୍ର ଫେରାର ୨ ଅପରାଧୀଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି ବୋଲି ପାହାଳ ଥାନା ଆଇଆଇସି ଅଶ୍ବିନୀ କୁମାର ଜେନା କହିଛନ୍ତି। 

Advertisment

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ ଜେଲ୍‌ରୁ ସରୋଜ ଓ ଜଗାର ବନ୍ଧୁତା 
ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଆଇଟି ଏକ୍ସପର୍ଟ ସରୋଜ ବେଙ୍ଗାଲୁରୁରେ ଥିବା ବେଳେ ସାଇବର ଠକେଇ ମାମଲାରେ ଜେଲ୍‌ ଯାଇଥିଲା। ସେହିଭଳି ଓଡ଼ିଶାରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରି ଜଗା ଗିରଫ ହୋଇଥିଲା। ଉଭୟେ ବେଙ୍ଗାଲୁରୁ ଜେଲ୍‌ରେ ଥିବା ବେଳେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥିଲା। ଜାମିନରେ ମୁକୁଳିବା ପରେ ସରୋଜ ଓ ଜଗା ଓଡ଼ିଶା ଫେରିଆସିଥିଲେ। ପୂର୍ବରୁ ଅପରାଧ ଜଗତ ସହ ସମ୍ପର୍କ ରଖିଥିବା ଜଗା ପୁଣି ସେହି ରାସ୍ତାରେ ରହିଲା ଏବଂ ନିଜେ କିଛି ବ୍ୟବସାୟ କରିବା ପାଇଁ ସରୋଜ ଟଙ୍କା ଯୋଗାଡ଼ରେ ଥିଲା।

ଆଇଟି ରିଟର୍ଣ ଓ ଜିଏସ୍‌ଟି କାମ କରୁଥିବା ପ୍ରଭାତ ସାହୁ ଗତମାସ ୨୪ ତାରିଖ ଦିନ କଟକର ଦୁଇ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଫେରୁଥିଲେ। କଟକ ଆସିଥିବାରୁ ପ୍ରଭାତ ତାଙ୍କ ବନ୍ଧୁ ସୁରେଶଙ୍କ ସହ ଭେଟ ହେବାକୁ କଥା ହୋଇଥିଲେ। କିନ୍ତୁ ସୁରେଶ ସହ ସରୋଜ ସୂତାର ମଧ୍ୟ ଆସିଥିଲା ଏବଂ ତିନି ବନ୍ଧୁ ଏକାଠି ହୋଇ ଏକ ମଲ୍‌କୁ ଯାଇଥିଲେ। ମଲ୍‌ରେ ଖିଆପିଆ ସାରି ଖଟି କରିବା ଭିତରେ ପ୍ରଭାତଙ୍କ ପାଖରେ ଥିବା ବ୍ୟାଗ୍‌ରେ ୨୦ଲକ୍ଷ ଟଙ୍କା ରହିଛି ବୋଲି ସରୋଜ ଜାଣିବାକୁ ପାଇଥିଲା। ସେ ତୁରନ୍ତ ଜଗା ସହ ଯୋଗାଯୋଗ କରି ଲୁଟ୍‌ର ବ୍ଲୁପ୍ରିଣ୍ଟ ବନାଇଥିଲା। ଜଗା ମଧ୍ୟ ତା’ର ୩ ସହଯୋଗୀଙ୍କୁ ଏକାଠି କରି ପ୍ରସ୍ତୁତ ହୋଇଯାଇଥିଲା। ପ୍ରଥମେ ସେମାନେ ମଲ୍‌ ନିକଟରେ ଲୁଟ୍‌ କରିବାକୁ ଚାହିଥିଲେ, ମାତ୍ର ଲୋକ ଗହଳିରେ ସମ୍ଭବ ନ ହେବାରୁ କାଠଯୋଡ଼ି ବ୍ରିଜ୍‌ ଉପରେ ଅପେକ୍ଷା କରିଥିଲେ। କିନ୍ତୁ କାଠଯୋଡ଼ି ବ୍ରିଜ୍‌ରେ ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିବାରୁ ଲୁଟ୍‌ ଯୋଜନା ପୁଣି ଫେଲ୍‌ ହୋଇଗଲା।

Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

ଏହାପରେ ଜଗା ଗ୍ୟାଙ୍ଗ୍‌ ପାହାଳ ନିକଟ ଜଲ୍‌ସା ବାର୍‌ ପାଖରେ ଛକି ରହିଲେ ଏବଂ ଯୋଜନା ମୁତାବକ ସରୋଜ ଚା’ ପିଇବା ବାହାନା କରି କାର୍‌ ସାଇଡ୍‌ କରିବାକୁ କହିବାରୁ ପ୍ରଭାତ ଗାଡ଼ି ଅଟକାଇଲେ। ପ୍ରଭାତ, ସୁରେଶ ଓ ସରୋଜ କାର୍‌ରୁ ବାହାରୁ ନ ବାହାରୁଣୁ ଛକି ରହିଥିବା ଜଗା ଗ୍ୟାଙ୍ଗ୍‌ ପ୍ରଭାତଙ୍କ ହାତରେ ଖଣ୍ଡା ଚୋଟ ପକାଇ ୨୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ନେଇ ଛୁ’ ମାରିଥିଲେ। ପ୍ରଭାତ, ସୁରେଶ ଓ ସରୋଜଙ୍କର ମୋବାଇଲ୍‌ କଲ୍‌ ଡିଟେଲ୍‌ସକୁ ପୁଲିସ ତଦନ୍ତ କରୁକରୁ ସରୋଜର ସମ୍ପୃକ୍ତି ଜଣାପଡ଼ିଥିଲା। ଲୁଟ୍‌ ଘଟଣାର କିଛି ସମୟ ପୂର୍ବରୁ ସରୋଜ ବାରମ୍ବାର ଜଗା ସହ ମୋବାଇଲ୍‌ରେ କଥା ହୋଇଥିବା ଜଣାପଡ଼ିଥିଲା। ସରୋଜର ଓଭର୍‌ଆକ୍ଟିଂ ଓ କଲ୍‌ ରେକର୍ଡକୁ ନେଇ ପୁଲିସ ମାରାଥନ ଜେରା କରିବା ପରେ ସରୋଜ ସତ ଉଗାଳି ପକାଇଥିଲା। ୩ ତାରିଖ ଦିନ ପୁଲିସ ସରୋଜ ଓ ଭଡ଼ାଟିଆ ଗୁଣ୍ଡା କଟକ ତେଲେଙ୍ଗାପେଣ୍ଠର ବବୁଲ୍‌ ବେହେରା ଓରଫ ନିକୁକୁ ଗିରଫ କରିଥିଲା। ନିକୁଠାରୁ ୧.୭୦ ଲକ୍ଷ ଟଙ୍କା, ଖଣ୍ଡା ଓ ସରୋଜଠାରୁ ୪ଲକ୍ଷ ଟଙ୍କା ଜବତ କରାଯାଇଥିଲା।