ବନ୍ଧୁକ ମୁନରେ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ଲୁଟ୍‌: ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ୬ ଡକାୟତ

ନୟାଗଡ଼ ସଦରଥାନା ମାନ୍ଧାତାପୁରସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଆଜି ମୁଖାପିନ୍ଧା ଛଅ ଜଣ ଦୁର୍ବୃତ୍ତ ଲୁଟପାଟ କରିଛନ୍ତି। ଲୁଟର ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ସେମାନେ ନେଇଯାଇଥିବା ଅନୁମାନ କରାଯାଉଛି।

gun

Photograph: (The New Indian Express)

ନୟାଗଡ଼: ନୟାଗଡ଼ ସଦରଥାନା ମାନ୍ଧାତାପୁରସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଆଜି ମୁଖାପିନ୍ଧା ଛଅ ଜଣ ଦୁର୍ବୃତ୍ତ ଲୁଟପାଟ କରିଛନ୍ତି। ଲୁଟର ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିବା ବେଳେ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ସେମାନେ ନେଇଯାଇଥିବା ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ, ବ୍ୟାଙ୍କରେ ଥିବା ଦୁଇ ଜଣ ମହିଳା ଗ୍ରାହକ ମଧ୍ୟ ଲୁଟର ଶିକାର ହୋଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କ କର୍ମଚାରୀ ମନୋଜ ମହାପାତ୍ର ଓ ପିଅନ ପାଇକରାୟ ମଲ୍ଲିକଙ୍କ ମୁଣ୍ଡ ଫାଟିଥିବା ବେଳେ ଶାଖା ପରିଚାଳକ ସୁନୀଲ କୁମାର ସାହୁ ମଧ୍ୟ ଆହତ ହୋଇଛନ୍ତି।

ବ୍ୟାଙ୍କ ପିଅନ ପାଇକରାୟଙ୍କ ସୂଚନା ମୁତାବକ, ଗ୍ରାହକଙ୍କ କାରବାର ସରିବା ପରେ ଫାଟକରେ ତାଲା ପକାଯାଇଥିଲା। ଦୁଇ ଜଣ ମହିଳା ଗ୍ରାହକ କୌଣସି କାମରେ ବ୍ୟାଙ୍କ ଭିତରେ ରହିଥିଲେ। ଜଣେ ଶାଖା ପରିଚାଳକଙ୍କ ସହ ଆଲୋଚନା କରୁଥିବା ବେଳେ ଆଉ ଜଣେ ତାଙ୍କର କୌଣସି ଏକ ଋଣ କିସ୍ତି ପଇଠ କରିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଶାଖା ପରିଚାଳକଙ୍କ ସହ ଆଲୋଚନା ଶେଷ କରି ମହିଳାଜଣକ ବାହାରକୁ ବାହାରିଥିଲେ। ଅପରାହ୍ଣ ପ୍ରାୟ ୫ଟା ୧୫ରେ ପାଇକରାୟ ବ୍ୟାଙ୍କ ଫାଟକ ଖୋଲିଥିଲେ। ଏହାର ସୁଯୋଗ ନେଇ ପୂର୍ବରୁ ଅପେକ୍ଷା କରିଥିବା ଛଅ ଜଣ ଯୁବକ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ। ପଦାକୁ ବାହାରୁଥିବା ମହିଳାଙ୍କୁ ସେମ‌ାନେ ପୁଣି ଥରେ ଭିତରକୁ ଭିଡ଼ି ନେଇଥିଲେ। 

ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ ୬ ଡକାୟତ
ବସ୍ତାରେ ଟଙ୍କା, ସୁନାଚେନ୍ ପୂରାଇ ଚମ୍ପଟ ମାରିଲେ
ମୋବାଇଲ ଟ୍ରାକିଂରୁ ୨ ଜଣଙ୍କୁ କାବୁ କଲା ପୁଲିସ

ସମସ୍ତେ ମୁଖା ପିନ୍ଧିଥିବା ବେଳେ ସଭିଙ୍କ ହାତରେ ପିସ୍ତଲ ଥିଲା। ଶାଖା ପରିଚାଳକ କିଏ ବୋଲି ଦୁର୍ବୃତ୍ତମାନେ ବାରମ୍ବାର ଚିତ୍କାର କରି ପଚାରିଥିଲେ। ପ୍ରଥମେ ସେମାନେ ପାଇକରାୟଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ପିସ୍ତଲରେ ଛେଚି ଦେବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହା ପରେ ସେମାନେ ମନୋଜଙ୍କୁ ମାଡ଼ ମାରି ତାଙ୍କୁ ମୁଣ୍ଡକୁ ମଧ୍ୟ ଛେଚି ଦେଇଥିଲେ। ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ହାତ ଉପରକୁ କରି ଉପରମୁହାଁ ହୋଇ ଛିଡ଼ା ହେବାକୁ କହିଥିଲେ। ଯିଏ ତଳକୁ ଅନାଉଥିଲା, ତାକୁ ସେମାନେ ମାଡ଼ ମାରୁଥିଲେ। ଦୁଇ ଜଣ ଦୁର୍ବୃତ୍ତ ସମସ୍ତ କର୍ମଚାରୀଙ୍କୁ ଜଗିଥିବା ବେଳେ ଆଉ ଦୁଇ ଜଣ ଶାଖା ପରିଚାଳକଙ୍କୁ ମାଡ଼ ମାରି ଟଙ୍କା କେଉଁଠି ଅଛି ବୋଲି ପଚାରିଥିଲେ। ଭୟରେ ଶାଖା ପରିଚାଳକ ବ୍ୟାଙ୍କକୁ ଆଜି ହିତାଧିକାରୀଙ୍କ ଋଣ ପାଇଁ ଆସିଥିବା ଟଙ୍କା ଦେଖାଇଥିଲେ। ଦୁର୍ବୃତ୍ତମାନେ ଏକ ଅଖାରେ ‌ସମସ୍ତ ଟଙ୍କାକୁ ଭର୍ତ୍ତି କରି ଆଖି ପିଛୁଳାକେ ସେଠାରୁ ଚମ୍ପଟ ମାରିଥିଲେ। ଯିବା ସମୟରେ ମହିଳା ଗ୍ରାହକଙ୍କ ମଧ୍ୟରୁ ଜଣକର ସୁନାଚେନ୍ ଓ ଅନ୍ୟ ଜଣକଠାରୁ ୨୦ ହଜାର ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ଗାଁ ଭିତରେ ଏହି ବ୍ୟାଙ୍କ ରହିଥିବା ବେଳେ ଡକାୟତି ସଂପର୍କରେ କେହି କିଛି ଟେର୍‌ ପାଇ ନଥିଲେ। ଡକାୟତମାନେ ସମସ୍ତ କର୍ମଚାରୀଙ୍କ ମୋବାଇଲ ନେଇ ଯାଇଛନ୍ତି। ତେବେ ଶାଖା ପରିଚାଳକଙ୍କ ମୋବାଇଲ୍‌କୁ ନୟାଗଡ଼ ପୁଲିସ ଟ୍ରାକିଂ କରି ୨ଜଣଙ୍କୁ କାବୁ କରିଥିବା କୁହାଯାଉଛି। ପ୍ରକାଶଥାଉକି, ବୁଧବାର ଅପରାହ୍ଣ ୩ଟା ୩୦ରେ ବ୍ୟାଙ୍କକୁ ଋଣ ବାବଦରେ ୩୦ ଲକ୍ଷ ଟଙ୍କା ଆସି ପହଞ୍ଚିଥିଲା। ଏହାର ମାତ୍ର କିଛି ସମୟ ପରେ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ଲୁଟପାଟ ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe