ହାଇସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ୨ ନାବାଳକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

www.timesnownews.com

ନୟାଗଡ଼ : ନୟାଗଡ଼ ଶରଣକୁଳ ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ସ୍କୁଲ ଛାତ୍ରୀ ଦୁଷ୍କର୍ମ ମାମଲାର ସୋମବାର ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ୨ ଜଣ ନାବାଳକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୨ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ନାବାଳକକୁ ପୂର୍ବରୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୭ ଏପ୍ରିଲ ମାସ ୨ ତାରିଖରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିଲା। ହାଇସ୍କୁଲ ଛାତ୍ରୀଙ୍କୁ ରାଜ୍ୟ ସରକାର ସାଇକେଲ କିଣିବା ପାଇଁ ପ୍ରଦାନ କରୁଥିବା ଟଙ୍କା ଆକାଉଣ୍ଟ୍‌କୁ ଆସିଛି କି ନାହିଁ, ସେ ସମ୍ପର୍କରେ ବୁଝିବାକୁ ଛାତ୍ରୀ ଜଣକ ତାଙ୍କର ଜଣେ ନାବାଳକ ସହପାଠୀଙ୍କ ସହିତ ଶରଣକୁଳ ଅଞ୍ଚଳର ଏକ ବ୍ୟାଙ୍କ୍‌କୁ ଯାଇଥିଲେ। ତେବେ ଫେରିବା ବାଟରେ ଏହି ସହପାଠୀଙ୍କ ସମେତ ଅନ୍ୟ ଦୁଇ ନାବାଳକ ରାକେଶ (ଛଦ୍ମନାମ) ଓ ଦୀନେଶ(ଛଦ୍ମନାମ) ବାହାନା ଦେଖାଇ ପାହାଡ଼ ଉପରେ ଥିବା ଏକ ମନ୍ଦିରକୁ ଠାକୁର ଦର୍ଶନ କରାଇବାକୁ ନାବାଳିକାଙ୍କୁ ନେଇ ଯାଇଥିଲେ। ସେଠାରେ ଛାତ୍ରୀଙ୍କୁ ୩ ଜଣ ଦୁଷ୍କର୍ମ କରିବା ସହିତ ଏହାକୁ ରେକର୍ଡିଂ କରି ପରବର୍ତ୍ତୀ ସମୟରେ ଭାଇରାଲ କରିଥିଲେ। ଏ ନେଇ ପୀଡ଼ିତା ନାବାଳିକା ଓ ତାଙ୍କର ବାପା, ମା’ ଶରଣକୁଳ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ମାମଲାର ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିଥିଲା। ଅଭିଯୁକ୍ତଦ୍ବୟ ନାବାଳକ ହେଲେ ମଧ୍ୟ ସେମାନଙ୍କ ବୟସ ୧୬ ବର୍ଷରୁ ଅଧିକ, ଶାରିରୀକ ଓ ମାନସିକ ଭାବେ ସେମାନେ ଦୁଷ୍କର୍ମ କରିବାକୁ ସକ୍ଷମ ବୋଲି ପ୍ରମାଣିତ ହୋଇଥିଲା। ତେଣୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ(ଜେଜେବି) ବଦଳ‌ରେ ଏହି ମାମଲା ଚିଲ୍‌ଡ୍ରେନ୍‌ସ କୋର୍ଟରେ ବିଚାର ହୋଇଥିଲା। ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ୧୬ ବର୍ଷରୁ ଅଧିକ ବୟସର ନାବାଳକ ଜଘନ୍ୟ ଅପରାଧ କଲେ, ଜେଜେବି ବଦଳରେ ଚିଲ୍‌‌ଡ୍ରେନ୍‌ସ କୋର୍ଟରେ ସେମାନଙ୍କର ବିଚାର ହେବ ବୋଲି ଆଇନ ପ୍ରଣୟନ କରାଯାଇଥିଲା। ଏଭଳି ସ୍ଥିତିରେ ଏହି ମାମଲାର ପୀଡ଼ିତାଙ୍କ ସହପାଠୀଙ୍କୁ ୧୬ ବର୍ଷରୁ କମ୍‌ ହୋଇଥିବାରୁ ଜେଜେବିରେ ତାଙ୍କର ଶୁଣାଣି ହୋଇଥିଲା। ୨୦୧୮ ଅକ୍ ଟୋବର ୫ ତାରିଖ ଦିନ ଜେଜେବି ତାଙ୍କୁ ବାଳ ସୁଧାର ଗୃହକୁ ୩ ବର୍ଷ ନିମନ୍ତେ ପଠାଇ ଦେଇଥିଲେ।

ଏହି ମାମଲାର ବିଚାର କରି ସୋମବାର ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଇତିଶ୍ରୀ ମହାପାତ୍ର ୧୦ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ନାବାଳକ ରାକେଶ ଓ ଦୀନେଶଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସରକାରଙ୍କ ପକ୍ଷରୁ ଆଇନଜୀବୀ ଅମିୟ ପଟ୍ଟନାୟକ ମାମଲା ପରିଚାଳାନା କରୁଥିଲେ। ନୟାଗଡ଼ ଜିଲ୍ଲାରେ ନାବାଳକଙ୍କୁ ଏଭଳି ଦଣ୍ଡ ପ୍ରଦାନ ପ୍ରଥମ ବୋଲି କୁହାଯାଉଛି। କୋର୍ଟଙ୍କ ଦଣ୍ତାଦେଶ ପରେ ପୀଡ଼ିତାଙ୍କ ପରିବାର କିଛି ମାତ୍ର‌ାରେ ଆଶ୍ବସ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe