Image Source: Indian Express
ଅନୁଗୁଳ : ସାତକୋଶିଆର ଦେଶୀ ବୁଢ଼ୀ ବାଘୁଣୀ ଅସୁସ୍ଥ ଥିବା ଜଣାପଡ଼ିବା ଘଟଣା ଇତିମଧ୍ୟରେ ୨ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଛି। କିନ୍ତୁ ପ୍ରାଥମିକ ଚିକିତ୍ସା ବି ହୋଇପାରିନାହିଁ। ବନ ବିଭାଗକୁ ବାଘୁଣୀ ଧରିବା ଚିନ୍ତା ଘାରିଛି। ଅପରପକ୍ଷରେ ବାଘୁଣୀର ଚିକିତ୍ସା ପାଇଁ ଯେତିକି ବନ ବିଭାଗ ତତ୍ପରତା ଦେଖାଇବା କଥା ତାହା ଦେଖାଇନାହିଁ।
ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ଅଧୀନରେ ସାତକୋଶିଆ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡର ହାତିଧରା ଜଂଗଲ, ଅନୁଗୁଳ ବନଖଣ୍ଡର ବନ୍ତଳା ଅଂଚଳ, ମହାନଦୀ ବନଖଣ୍ଡ, ବୌଦ୍ଧ, ଆଠଗଡ଼ ଓ ଢେଙ୍କାନାଳ ବନଖଣ୍ଡର କିଛି କିଛି ଅଂଚଳ ରହିଛି। ସାତକୋଶିଆ ଜଂଗଲରେ ଆଗରୁ ଅନେକ ବାଘ ଥିଲେ। ମାତ୍ର ଏବେ କେବଳ ଗୋଟିଏ ଦେଶୀ ବୁଢ଼ୀ ବାଘୁଣୀ ବଞ୍ଚିରହିଛି। ଅପରପକ୍ଷରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ୬ଟି ବାଘ ଆଣିବାର ଯୋଜନା ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଆସିଥିବା ଦୁଇଟି ମହାବଳ ବାଘ ‘ମହାବୀର ଓ ବାଘୁଣୀ ‘ସୁନ୍ଦରୀ’ ଆସିଥିଲେ। ମାତ୍ର ବେକରେ ଘା’ ହେବା ଯୋଗୁଁ ମହାବୀରର ମୃତ୍ୟୁ ହୋଇଥିବାବେଳେ ମଣିଷ ମାରିବା ଯୋଗୁଁ ‘ସୁନ୍ଦରୀ’ ଏବେ ଏନ୍କ୍ଲୋଜର ମଧ୍ୟରେ ବନ୍ଦୀ ରହିଛି। ତେବେ ଦେଶୀ ବୁଢ଼ୀ ବାଘୁଣୀର ଲାଞ୍ଜରେ ଘା’(ଫଙ୍ଗାଲ ଇନ୍ଫେକ୍ସନ) ହୋଇଥିବା ଗତ ମେ ମାସରେ ଜଣାପଡ଼ିଥିଲା। ବାଘୁଣୀ ସମେତ ଅନ୍ୟ ବନ୍ୟପ୍ରାଣୀମାନଙ୍କ ଗତିବିଧି ଲକ୍ଷ୍ୟ ରଖାଯିବା ନେଇ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରାୟ ୩ ଶହଟି ଟ୍ରାପ୍ କ୍ୟାମେରା ଲଗାଯାଇଛି। ରାଇଗୁଡ଼ା ଅଂଚଳରେ ବାଘୁଣୀ ବୁଲୁଥିବାବେଳେ ଟ୍ରାପ୍ କ୍ୟାମେରା ଜିରଆରେ କଏଦ୍ ଚିତ୍ରରୁ ଏହାର ଲାଞ୍ଜ ‘ଫଙ୍ଗାଲ ଇନ୍ଫେକ୍ସନ’ ହୋଇଥିବା ଜଣାପଡ଼ିଥିଲା। ତେବେ ବାଘୁଣୀର ଚିକିତ୍ସା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ବୟସାଧିକ୍ୟ କାରଣରୁ ଟ୍ରାଙ୍କୁଲାଇଜ୍ କରାଗଲେ ବାଘୁଣୀର ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଇ ପିସିସିଏଫ୍, ଏନ୍ଟିସିଏକୁ ଚିଠି ଲେଖି ଚୁପ୍ ହୋଇ ବସି ଯାଇଥିଲା। ଏ ସଂକ୍ରାନ୍ତରେ ଗଣମାମଧ୍ୟମରେ ଖବର ପ୍ରକାଶ ପରେ ବନ ବିଭାଗ ତତ୍ପରତା ଦେଖାଇଥିଲା। ଏନ୍ଟିସିଏ, ପିସିସିଏଫ ମଧ୍ୟ ବାଘୁଣୀର ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବାଘୁଣୀକୁ ଧରି ଚିକିତ୍ସା କରିବା ପାଇଁ ବିଭିନ୍ନ ଉପାୟ ଅବଳମ୍ବନ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ସରକାରୀ ନିଷ୍ପତ୍ତି ଅନୁଯାୟୀ, ‘ସୁନ୍ଦରୀ’ କେତେବେଳେ ବି ମଧ୍ୟପ୍ରଦେଶକୁ ଫେରିଯିବ। ଅପରପକ୍ଷରେ ଯଦି ଚିକିତ୍ସା ଅଭାବରୁ ବୁଢ଼ୀ ବାଘୁଣୀର ମୃତ୍ୟୁ କିଛି ହୋଇଯାଏ, ତାହେଲେ ସାତକୋଶିଆ ବାଘଶୂନ୍ୟ ହୋଇଯିବ।
Follow Us