ଶିକାରୀ-ମାଫିଆ ସକ୍ରିୟ! ସମ୍ବଲପୁର ଅଞ୍ଚଳରେ ପୁଣି ୨ ହାତୀ କଙ୍କାଳ ଠାବ

ଶିକାରୀ-ମାଫିଆ ସକ୍ରିୟ! ସମ୍ବଲପୁର ଅଞ୍ଚଳରେ ପୁଣି ୨ ହାତୀ କଙ୍କାଳ ଠାବ

ଯୁଯୁମୁରା: ସମ୍ବଲପୁର ଧମା ରେଞ୍ଜ ଅଞ୍ଚଳରେ ଆଜି ପୋଡ଼ାଜଳା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଛି।  ତବଲେଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ବେଳେ ଅନ୍ୟଟି କୋଲଗାଁ ସଂରକ୍ଷିତ ଜଙ୍ଗଲରୁ ମିଳଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ହାତୀମାନଙ୍କର ନମୁନା ପରୀକ୍ଷା ପାଇଁ ଯାଇଛି। ଏହାର ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାରେ ହାତୀ କଙ୍କାଳ ଠାବ ହେବା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତ ଜୁନ ମାସ ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସାପଲହରା ହାତୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ହାତୀଟି ପ୍ରଥମେ ଅସୁସ୍ଥ ହୋଇଥିଲା ବୋଲି କୁହାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାତୀର ଦେହରେ ଗୁଳିବାଜିଥିବା ସ୍ପଷ୍ଟ ହୋଇଥିଲା। ବନ ବିଭାଗ ନିଜେ ଏହା ସ୍ବୀକାର କରିଥିଲା। ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ତେବେ ସମ୍ବଲପୁର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ଘଟୁଛି। କିନ୍ତୁ ମାଫିଆ ହେଉ ବା ଶିକାରୀ ହେଉ, ସେମାନଙ୍କୁ ଆଇନର ପରିସରକୁ ଆଣିବାରେ ବନ ବିଭାଗ ବିଫଳ ହେଉଛି।

ସେହିପରି ମୁଢେଲରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ଗତବର୍ଷ ଅକ୍ଟୋବର ୨୦ ତାରିଖ ସଦର ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ହନ୍ତାର ମୃତଦେହକୁ ମାଫିଆମାନେ ପେଟ୍ରୋଲରେ ପୋଡ଼ିଦେଇଥିଲେ। ପରେ ହାତୀର ଅସ୍ଥି ଓ ପାଉଁଶ ମିଳିବା ପରେ ବନ ବିଭାଗ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏହା ସହ ହାତୀକୁ ଜଙ୍ଗଲରେ ପୋଡାଯାଇଥିବାରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହି କାମରେ ସ୍ଥାନୀୟ ବନକର୍ମଚାରୀ ମଧ୍ୟ ଏଥିରେ ସଂପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ସେହିଦିନ ଠାରୁ ହାତୀର ଅସ୍ଥି ଓ ପାଉଁଶ ନମୁନା ପଠାଯାଇଥିଲେ ବି, ତାର ରିପୋର୍ଟ ଆଜିଯାଏଁ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe