ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦି କୋଥାଗୁଡୁମ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସମେତ ୧୪୧ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି।ଏମାନେ ହେଲେ ମୁସୁକି ସୁଖି ଅରଫ ବିମଳା(୧୮) ଏବଂ ମାଡକମ ପ୍ରମିଲା ଅରଫ ପାଲେ(୧୮)। ଏହି ଦୁଇ ମହିଳାଙ୍କୁ ମାଓବାଦୀ ଜବରଦସ୍ତ ଗତ ଚାରି ବର୍ଷ ତଳେ ପାର୍ଟିରେ ମିଶାଇଥିଲେ। ସେତେବେଳେ ଏମାନଙ୍କର ବୟସ ମାତ୍ର ୧୪ ବର୍ଷ ହୋଇଥିଲା।ଏମାନେ ନାବାଳିକା ଥିବା ବେଳେ କଣ ଭଲ ଏବଂ କଣ ମନ୍ଦ କିଛି ବୁଝିପାରିନଥିଲେ।
ମାଓ ନେତୃତ୍ବରେ ଏମାନେ ଅସଂତୋଷ ଜାହିର କରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କୁ ବାଧ୍ୟ କରି ଗତ ୨୦୨୧ ମସିହାରେ ପୁଲିସ ଉପରେ ଆକ୍ରମଣ କରିବାକୁ ବାଧ୍ୟ କରାଯାଇଥିଲା। ସେହିପରି ଆଦିବାସୀମାନଙ୍କୁ ହଇରାଣ କରିବା ଏବଂ ପିଲାମାନଙ୍କୁ ମଧ୍ୟ ହଇରାଣ କରିବା ଭଳି କାମରେ ନୟୋଜିତ କରାଯାଇଥିଲା। ମାଓ ସଂଗଠନରେ ବର୍ତ୍ତମାନ ଲିଡର ଭାବେ କାମ କରୁଥିବ ଆଜାଦ, ଦାମୋଦର, ରାଜି ରେଡ୍ଡି, ମଧୁ ଭଳି ଦୁର୍ଦାନ୍ତ ମାଓବାଦୀ ଏମାନଙ୍କୁ ଏବଂ ଅନ୍ୟ ନାବାଳିକା, ନାବାଳକମାନଙ୍କୁ ଜବରଦସ୍ତ ସଂଗଠନରେ ଜଡିତ ହେବାକୁ ବାଧ୍ୟ କରି ସେମାନଙ୍କ ଦ୍ବାରା ରନ୍ଧା କାମ କରାଇବା, ଜିନିଷପତ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା, ପୋଷାକଗୁଡିକକୁ ଧୋଇବା କାମରେ ନିୟୋଜିତ କରୁଥିଲେ। ଏପରିକି କ୍ୟାଡର ମାଓବାଦୀମାନେ ମହିଳା ଏବଂ ଶିଶୁମାନଙ୍କୁ ନିର୍ଯାତନା ଦେଉଥିଲେ।
ଯୁବତୀମାନଙ୍କୁ ବରିଷ୍ଠ ମାଓନେତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଦୁର୍ଦାନ୍ତ ମାଓବାଦୀ ଦାମୋଦର ଜବରଦସ୍ତ ରଞ୍ଜିତାକୁ ବିବାହ କରିବାକୁ ବାଧ୍ୟ କରିଥିଲା। ଆଦିବାସୀ ମାଓବାଦୀଙ୍କୁ ସମ୍ମାନ ମିଳୁନଥିଲା। ଆଜାଦ ଏବଂ ରବୀ ଭଳି ମାଓବାଦୀମାନେ ସବୁବେଳେ ଏମାନଙ୍କୁ ଟଂକା ଲୁଟିବାକୁ କହୁଥିଲେ। ସେମାନଙ୍କୁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ଚିକିତ୍ସା କରାଉନଥିଲେ ବୋଲି ଏମାନେ କହିଛନ୍ତି। ତେଣୁ ବାଧ୍ୟ ହୋଇ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବେ ବୋଲି କହିଥିଲେ ।ପ୍ରଶାସନ ତରଫରୁ ଏମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯେଉଁମାନେ ହିଂସା ପଥରେ ଚାଲିଯାଇଛନ୍ତି ସେମାନେ ଘରକୁ ଫେରି ଆସନ୍ତୁ ବୋଲି ପୁଲିସ କହିଛି।
Follow Us