ମାଓ ସଂପୃକ୍ତି ଅଭିଯୋଗ, ୨ ଜଣଙ୍କୁ ଉଠାଇ ଆଣିଲା ପୁଲିସ

ମାଓ ସଂପୃକ୍ତି ଅଭିଯୋଗ, ୨ ଜଣଙ୍କୁ ଉଠାଇ ଆଣିଲା ପୁଲିସ

India Today

ମ. ରାମପୁର : କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ତଥା ମାଓପ୍ରବଣ ଅଂଚଳ ଲୁବେନଗଡ଼ ଗ୍ରାମ ପଂଚାୟତ ଲୁବେନଗଡ଼ ଗ୍ରାମରୁ ରବିବାର ସକାଳୁ ଦୁଇଜଣ ଆଦିବାସୀ ଯୁବକଙ୍କୁ ପୁଲିସ ଉଠାଇ ନେଇଛି। ପରିବାର ଲୋକେ ସେମାନଙ୍କୁ ଭେଟିବାକୁ ଚାହୁଥିଲେ ମଧ୍ୟ ଦେଖା କରିବାର ସୁଯୋଗ ଦିଆଯାଉ ନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ରବିବାର ସକାଳ ପ୍ରୟ ୯ଟା ସମୟରେ ଲୁବେନଗଡ଼ ଗାଁର ଗାଁର ସିମାରା ନାଏକ (୬୫) ଏବଂ ଗ୍ରାମରକ୍ଷୀ ଆନନ୍ଦ ନାଏକ(୫୫)ଙ୍କୁ ମୋହନଗିରି ଫାଣ୍ଡି ଅଧିକାରୀଙ୍କ ସହାୟତାରେ ମୋହନଗିରି ସିଆରପିଏଫ୍ ଏକ ଗାଡ଼ିରେ ବସାଇ ଫାଣ୍ଡିରେ କାମ ଅଛି କହି ଡାକି ଆଣିଥିଲେ। ପରେ ଗ୍ରାମରୁ ଆନନ୍ଦ ନାଏକଙ୍କ ପତ୍ନୀ ଏବଂ ସିମାରା ନାଏକଙ୍କ ଜ୍ବାଇଁ ହେମନ୍ତ ଦିଗାଲ ଦିନ ପ୍ରାୟ ୨ଟା ବେଳେ ମୋହନଗିରି ଫାଣ୍ଡିକୁ ଆସିବାରୁ ଫାଣ୍ଡିରେ ମ. ରାମପୁରକୁ ନିଆଯାଇଛି ଏବଂ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହିଥିଲେ। ପରେ ଗ୍ରାମରୁ ପରିବାର ଲୋକେ ମ. ରାମପୁର ଥାନାକୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଥାନା ତରଫରୁ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଫଳରେ ସନ୍ଧ୍ୟାରେ ବାଇକ ଯୋଗେ ପ୍ରାୟ ୧୧ଜଣ ଭବାନୀପାଟଣା ଯାଇ ଏସପିଙ୍କୁ ସାକ୍ଷାତ କରିଥିଲେ। ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସୋମବାର ସେମାନଙ୍କୁ ଦେଖା କରିପାରିବେ ବୋଲି ଏସ୍‌ପି କହିଥିଲେ। ସୋମବାର ସକାଳେ ଏସପିଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରିବା ପରେ ସେ ସେହି ସମୟରେ ପ୍ରତିଶ୍ରୁତି ଦେଇଥିଲେ କି ମ. ରାମପୁର ଥାନାକୁ ଗଲା ପରେ ସେମାନଙ୍କ ସହ ଦେଖା କରି ପାରିବ। ହେ‌ଲେ ଏଯାଏ ସେମାନଙ୍କୁ ‌ଭେଟି ନପାରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଏସପି ଏହା ମାଓ ସଂପୃକ୍ତି ମାମଲା ଏବଂ ଏହାର ଅଧିକ ତଦନ୍ତ ହେବ ବୋଲି କହିଛନ୍ତି।

ଏ ସଂକ୍ରାନ୍ତରେ ମ.ରାମପୁର ଥାନାଧିକାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। ତେବେ, ମାଓ ସଂପୃକ୍ତି ସନ୍ଦେହ କରି ସେମାନଙ୍କୁ ନିଆଯାଇଥିବା ପରୋକ୍ଷରେ ସ୍ୱୀକାର କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମଧ୍ୟ ପରିବାର ଲୋକେ ଥାନାରେ ଦେଖା କରିବାକୁ ଅଡ଼ି ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe