ଦୁଇ ପଡ଼ୋଶୀ ଗାଁ, ଗୋଟିଏ ନାଁ: ଓଡ଼ିଶାର ବୁରୁଡ଼ି ବନାମ ଛତିଶଗଡ଼ର ବୁରୁଡ଼ି

Advertisment

ଓଡ଼ିଶାର ଅବହେଳିତ, ଛତିଶଗଡ଼ର ସମୃଦ୍ଧ ଗାଁ

ଓଡ଼ିଶାର ଅବହେଳିତ, ଛତିଶଗଡ଼ର ସମୃଦ୍ଧ ଗାଁ

ଦୁଇ ପଡ଼ୋଶୀ ଗାଁ, ଗୋଟିଏ ନାଁ: ଓଡ଼ିଶାର ବୁରୁଡ଼ି ବନାମ ଛତିଶଗଡ଼ର ବୁରୁଡ଼ି

ମାଲକାନଗିରି: ଗୋଟିଏ ବୁରୁଡ଼ି ଗାଁରେ ପାଣି ବାଲଟିଏ ପାଇଁ ନଳକୂଅ ପାଖରେ ଘଣ୍ଟାଘଣ୍ଟା ଧରି ଛିଡ଼ାହେବାକୁ ପଡ଼ୁଛି। ତଥାପି ମିଳୁନି ପର୍ଯ୍ୟାପ୍ତ ପାଣି। ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଆଉ ଗୋଟିଏ ବୁରୁଡ଼ି ଗାଁରେ ଘରେଘରେ ପାଇପ୍‌ ପାଣି ସାଙ୍ଗକୁ ସାହି ଗଳିରେ ନଳକୂଅ। ପାଣିର ଅଭାବ ନାହିଁ। ରାସ୍ତାଘାଟ ଚିକ୍କଣ। ଶିକ୍ଷା, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉତ୍ତମ। ସମାନ ନାଁ ଥିବା ଏହି ଦୁଇଟି ଗାଁରୁ ପ୍ରଥମଟି ମାଲକାନଗିରି ଜିଲ୍ଲା ସଦର ବ୍ଲକ ତଣ୍ଡକି ପଞ୍ଚାୟତ ଅନ୍ତର୍ଗତ। ଅନ୍ୟଟି ହେଲେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର। ଦୁଇ ରାଜ୍ୟ ସୀମାରେ ଦୁଇଟି ବୁରୁଡ଼ି ଗ୍ରାମ ଲଗାଲଗି ହୋଇ ରହିଥିବାରୁ ଲୋକେ ଓଡ଼ିଶାରେ ଖାଇ ଛତିଶଗଡ଼ରେ ପାଣି ପିଉଥିବା ସାଧାରଣରେ କୁହାଯାଉଛି।

publive-image

ମାଲକାନଗିରି ଜିଲ୍ଲାର ବୁରୁଡ଼ି ଗାଁର ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିକାଶର ନାଁ ଗନ୍ଧ ନାହିଁ। ଲୋକେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଅନ୍ୟପଟେ ଛତିଶଗଡ଼ର ବୁରୁଡ଼ି ଗାଁରେ ବିକାଶର ବଡ଼ ଫରକ୍‌ ଯେ କେହି ବି ଦେଖିପାରିବ। ଯେମିତି ଓଡ଼ିଶାର ବୁରୁଡ଼ି ଗାଁରେ ପ୍ରାୟ ୮୦ପରିବାର ବସବାସ କରୁଥିଲା ବେଳେ ଏବେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଗାଁରେ ତିନିଟି ନଳକୂଅ ରହିଛି, ସେଥିରୁ ଦୁଇଟି ବହୁ ଦିନ ହେଲା ସଂପୂର୍ଣ୍ଣ ଅଚଳ। ମାତ୍ର ଗୋଟିଏ ନଳକୂଅ ଉପରେ ପୂରା ଗାଁ ନିର୍ଭରଶୀଳ। କିନ୍ତୁ ସେଥିରୁ ଶୋଷ ମେଣ୍ଟାଇବା ଭଳି ପାଣି ବାହାରୁନି। ଅଳ୍ପ ପାଣି ବାହାରୁଛି, ତାହା ମଧ୍ୟ ପିଇବା ଯୋଗ୍ୟ ନୁହଁ। ଲୋକେ ବାରମ୍ବାର ସମସ୍ୟା ନେଇ ପଞ୍ଚାୟତଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଛନ୍ତି। କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି। ନିକଟରେ ନିର୍ବାଚନ ପ୍ରଚାରରେ ଆସିଥିବା ନେତାଙ୍କୁ ସମସ୍ୟା ଜଣାଇଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳିଲା ବୋଲି ଲୋକେ କହିଛନ୍ତି। ପାନୀୟ ଜଳ ସଂକଟ ନେଇ ଭୋଟ୍‌ ବର୍ଜନ କରିବାକୁ ଗ୍ରାମବାସୀ ଚିନ୍ତା କରିଥିଲେ ହେଁ ପରେ ଟାଳି ଦେଇଥିଲେ।

ଅନ୍ୟପଟେ ଛତିଶଗଡ଼ର ବୁରୁଡ଼ି ଗାଁରେ ଘରେଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। ପ୍ରତି ସାହି ଗଳିରେ ନଳକୂଅ। ସେଠାରେ ପାଣି ଭାସୁଛି କହିଲେ ଅତ୍ୟୁକ୍ତି ହେବନି। ମାଲକାନଗିରିର ବୁରୁଡ଼ିରେ ଖାଲି ପାନୀୟ ଜଳ ସମସ୍ୟା ନୁହେଁ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ପଛରେ ପଡ଼ିଛି। ଛତିଶଗଡ଼ର ବୁରୁଡ଼ି ଗାଁ ଚକାଚକ୍‌। ବିଜୁଳି, ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ସମସ୍ତ ସୁବିଧା ହାତ ପାଖରେ। ରାଜ୍ୟ ସରକାରଙ୍କ ନିକଟରେ ମୌଳିକ ସୁବିଧା ନେଇ ମାଲକାନଗିରିର ବୁରୁଡ଼ି ଗାଁ ଲୋକେ ବାରମ୍ବାର ଦାବିପତ୍ର ଦେଉଥିଲେ ସୁଦ୍ଧା କୌଣସି ଫରକ ପଡ଼ୁନଥିବାରୁ ଏବେ ଗ୍ରାମବାସୀ ଛତିଶଗଡ଼ରେ ମିଶିବାକୁ ଧମକ ଦେଉଛନ୍ତି। ଲାଗି ରହିଥିବା ଦୁଇଟି ବୁରୁଡ଼ି ଗାଁରେ ବିକାଶ ଓ ଉନ୍ନୟନ କାମରେ ଏତେ ତଫାତକୁ ଲୋକେ କିପରି ସହ୍ୟ କରିବେ ବୋଲି ପ୍ରଶ୍ନ ଉଠିଛି। ନୂତନ ସରକାର ଗଠନ ପରେ ଯଦି ମୌଳିକ ସୁବିଧା ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ସହ ଛତିଶଗଡ଼ରେ ମିଶିବା ଥୟ ବୋଲି ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe