ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣା: ୮ ମୃତକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଦଂପତି

Advertisment
ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣା: ୮ ମୃତକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଦଂପତି

କଟକ: ତେଲେଙ୍ଗାନାର ସିକନ୍ଦରାବାଦ ଠାରେ ସୋମବାର ରାତିରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତି  ମଧ୍ୟ ଥିବା ନେଇ ସୂଚନା ମିଳିଛି। ମୃତ ଦଂପତି କଟକ କାଫଲାବଜାରର ଚନ୍ଦନ ଜେଠୀ ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ ବୋଲି ଜଣାପଡ଼ିଛି। ଉଭୟ ବର୍ଷେ ତଳେ ବିବାହ କରିଥିଲେ। ସେମାନେ ବେଙ୍ଗାଲୁରୁରେ ରହୁଥିଲେ। ଉଭୟ ଟ୍ରେନିଂ ପାଇଁ ସିକନ୍ଦରାବାଦ ଯାଇ ସେଠାରେ ଏକ ଲଜ୍‌ରେ ଥିବାବେଳେ ନିଆଁ ଲାଗିଥିଲା।

ଚନ୍ଦନ ବେଙ୍ଗାଲୁରୁସ୍ଥିତ ଏକ ସଫ୍ଟୱେୟାର କଂପାନିରେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ମିତାଲି ଏକ ବିୟୁଟି ପ୍ରଡକ୍ଟ କଂପାନିରେ କାମ କରୁଥିଲେ। ମିତାଲିଙ୍କ ତାଲିମ ପାଇଁ ନିକଟରେ ପତିପତ୍ନୀ ସିକନ୍ଦରାବାଦ ଯାଇଥିଲେ। ସୋମବାର ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି ବୋଲି ଚନ୍ଦନଙ୍କ ସାନ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଡ଼ଭାଇ ଶୁଭମ ଜେଠି ମୃତଦେହ ଆଣିବା ପାଇଁ ସିକନ୍ଦରାବାଦ  ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ଚନ୍ଦନ ଓ ମିତାଲି ୨୦୨୦ ନଭେମ୍ବର ୨ ତାରିଖରେ ବିବାହ କରିଥିଲେ ଏବଂ ଉଭୟ ଗତ ଗଣେଶ ପୂଜାରେ କଟକ ଆସିଥିଲେ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଉପକଣ୍ଠ ସିକନ୍ଦରାବାଦ ଅଞ୍ଚଳରେ ଥିବା ଏକ ଲଜ୍‌ 'ରୁବି ଲଗ୍‌ଜରୀ ପ୍ରାଇଡ'ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏଥିରେ ଓଡ଼ିଆ ଦଂପତି ମଧ୍ୟ ଥିଲେ। ସେହିପରି ଏହି ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଓଡ଼ିଆ ଦଂପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି ।

publive-image Photo: Indian Exress

ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ଜଣେ କର୍ମଚାରୀଙ୍କ କହିବା ମୁତାବକ, କୋଠାର ତଳ ମହଲାରେ ଏକ ଇଲେକ୍ଟ୍ରିକ ଗାଡ଼ି ସୋ’ରୁମ ଥିଲା। ଅଧିକ ତାପମାତ୍ରା ଯୋଗୁଁ ହଠାତ୍ ସୋ' ରୁମ୍‌ରେ ଥିବା ଗାଡିଗୁଡିକର ବ୍ୟାଟେରି ଫାଟି ଯାଇଥିଲା । ଏହି କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଧୀରେ ଧୀରେ ଚାରିଆଡକୁ ବ୍ୟାପିଥିଲା । ଏହାପରେ ପୁରା କୋଠାଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe