ଝାରସୁଗୁଡ଼ାର ଦୁଇ କରୋନା ରୋଗୀ ସୁସ୍ଥ, ଜିଲ୍ଲାରୁ ଏପର୍ଯ୍ୟନ୍ତ ସ୍ୱାବ୍ ସଂଗ୍ରହ ସରିନି କି ସବୁ ରିପୋର୍ଟ ଆସିନି

ସବୁ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ହଟାଯାଇ ପାରିବ ନାହିଁ କଣ୍ଟେନ୍‌ମେଣ୍ଟ ଜୋନ୍

ଝାରସୁଗୁଡ଼ାର ଦୁଇ କରୋନା ରୋଗୀ ସୁସ୍ଥ, ଜିଲ୍ଲାରୁ ଏପର୍ଯ୍ୟନ୍ତ ସ୍ୱାବ୍ ସଂଗ୍ରହ ସରିନି କି ସବୁ ରିପୋର୍ଟ ଆସିନି

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଦୁଇ କରୋନା ସଂକ୍ରମିତ ଯେଉଁମାନେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ ସେମାନେ ସୁସ୍ଥ ହୋଇଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଜଣାଇଛି। ଗତ ୩୦ ତାରିଖ ଦିନ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରେ ଥିବା ବୁଢ଼ିଜାମ୍ ଠାରେ ଜଣେ ୧୮ ବର୍ଷର ଯୁବତୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଥିଲା। ଯୁବତୀ ଜଣକ ପଶ୍ଚିମବଙ୍ଗରେ ରୁହନ୍ତି। ଭାଇର ମୃତାହ କାର୍ଯ୍ୟପାଇଁ ସେ ତାଙ୍କ ପରିବାର ଅନ୍ୟ ସଦସ୍ୟମାନଙ୍କ ସହିତ ଆସିଥିଲେ। ତେବେ ସେମାନେ ହଟ୍‌ସ୍ପଟ୍ ଅଞ୍ଚଳରୁ ଆସିଥିବା କାରଣରୁ ତାଙ୍କୁ ହୋମ୍ କ୍ବାରାଣ୍ଟିନ୍‌ରେ ରଖାଯାଇ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କର ପଜିଟିଭ୍ ବାହାରିଥିଲା। ୩୦ ତାରିଖ ଦିନ ସଂକ୍ରମିତ ଯୁବତୀଙ୍କୁ ରାଉରକେଲା ନେଇ ଚିକିତ୍ସା କରାଯାଉଥିଲା।

publive-image

ସେହିପରି ୩ ତାରିଖ ଦିନ ଲଖନପୁର ବ୍ଲକ କୋଡ଼ାଲୋଇ ପଞ୍ଚାୟତର ଡହଲଡେରା ଗ୍ରାମରେ ଜଣେ ମହିଳା କରୋନା ସଂକ୍ରିତ ବୋଲି ରିପୋର୍ଟ ଆସିଥିଲା। ସେହି ଦିନ ତାଙ୍କୁ ଝାରସୁଗୁଡ଼ା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତେବେ କିଛି କାରଣ ଯୋଗୁଁ ୩ ଦିନ ପରେ ଉକ୍ତ ଆକ୍ରାନ୍ତ ମହିଳାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଢ଼ିଜାମ୍ ଓ ଡହଲଡେରା ଉଭୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି କୋଭିଡ-୧୯ ନିୟମାବଳୀ ଅନୁଯାୟୀ କଟକଣା କରାଯାଇଛି। ବୁଢ଼ିଜାମ୍‌ରେ ଲୋକେ ଆଜିକୁ ୧୨ ଦିନ ହେଲା ଗୃହବନ୍ଦୀ ହୋଇ ରହିଥିବା ବେଳେ ଡହଲଡେରା ଠାରେ ୮ ଦିନ ହେଲା ଲୋକେ ଗୃହବନ୍ଦୀ ଭାବରେ ଅଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଉଭୟ ଆକ୍ରାନ୍ତ ପରିବାରଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତଙ୍କର ନେଗେଟିଭ୍ ରିପୋର୍ଟ ଆସିଥିଲା। ତେବେ ଡହଲଡେରା ଠାରେ ସଂକ୍ରମିତ ପରିବାରର ଆଉ ଜଣଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ହସ୍ତଗତ ହୋଇନାହିଁ। ସଂକ୍ରମିତ ଉଭୟ ରୋଗୀ ସୁସ୍ଥ ହୋଇ ଫେରିବାକୁ ଥିବା ବେଳେ ଏହି ଉଭୟ ଅଞ୍ଚଳରୁ ଯାଇଥିବା ସନ୍ଦିଗ୍ଧ ଲୋକଙ୍କ ସ୍ୱାବ ରିପୋର୍ଟ ଏତେଦିନ ହେଲା ଆସିନାହିଁ।

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ବ୍ରଜରାଜନଗର ବୁଢ଼ିଜାମ୍ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଆଜି ସୁଦ୍ଧା ୨୩୭ ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ଯାଇଛି ଓ ୧୩୬ ଜଣଙ୍କ ରିପୋର୍ଟ ଆସିଛି। ସେହିପରି ଡହଲଡେରା କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଯାଇଥିବା ୨୬୫ ସ୍ୱାବ୍ ମଧ୍ୟରୁ ୧୩୯ ରିପୋର୍ଟ ଆସିଛି। ଏହି ସବୁ ରିପୋର୍ଟ ନେଗେଟିଭ୍ ଥିବା ଜଣାଯାଇଛି। ଜିଲ୍ଲାରେ ମୋଟ ୧୪୪୦ ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୦୨୮ ଜଣଙ୍କ ରିପୋର୍ଟ ଆସିଛି। ଏଥି ମଧ୍ୟରୁ ୧୦୨୨ ଜଣଙ୍କ ନେଗେଟିଭ୍ ୨ ଜଣଙ୍କ ପଜିଟିଭ୍ ଓ ୪ ଜଣଙ୍କ ଇନ୍‌ଭେଲିଡ୍ ଥିବା ରିପୋର୍ଟ ଆସିଛି। ତେବେ ସବୁ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍ ହଟାଯାଇ ପାରିବ ନାହିଁ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ତେଣୁ ଝାରସୁଗୁଡ଼ା ଜିଲ୍ଲାର ପରୀକ୍ଷା ରିପୋର୍ଟ ଗୁଡ଼ିକ ତୁରନ୍ତ ପଠାଇବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe