ଲକ୍ଷ୍ମୀ ବସ୍‌ରେ ନିଯୁକ୍ତି ପାଇଁ ଟଙ୍କା କାରବାର ମାମଲା: ୨ ଅଭିଯୁକ୍ତ ଗିରଫ

Advertisment
ଲକ୍ଷ୍ମୀ ବସ୍‌ରେ ନିଯୁକ୍ତି ପାଇଁ ଟଙ୍କା କାରବାର ମାମଲା: ୨ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ ନହେଉଣୁ ଏବେ ନିଯୁକ୍ତିକୁ ନେଇ ଟଙ୍କା କାରବାର ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି। କିଛି ଦିନ ପୂର୍ବରୁ ଲକ୍ଷ୍ମୀ ବସ୍‌ରେ କଣ୍ଡକ୍ଟର ନିଯୁକ୍ତିକୁ ନେଇ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ପ୍ରଘଟ ହେବା ପରେ ଏନେଇ ଏକ ଅଡିଓ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୁଣି କିଛି ଦିନ ତଳେ ନିଯୁକ୍ତି ପାଇଁ ଟଙ୍କା କାରବାର ହେଉଥିବା ବେଳେ ବଲାଙ୍ଗୀର ସହରର ଜଗର୍ସ ପାର୍କରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ଲୋକେ ଗୋଡ଼ାଇ କାବୁ କରିବା ସହ ବଲାଙ୍ଗୀର ପୁଲିସର ଜିମା ଦେଇଥିଲେ। ତେବେ ବଲାଙ୍ଗୀର ପୁଲିସ ପଚରାଉଚୁରା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଡ଼ିଦେବା ନେଇ ଅଭିଯୋଗ ଉଠିବା ପରେ ଓ ଏସ୍‌ଆର୍‌ଟିସିର ମ୍ୟାନେଜର ଅମିତ ମିଶ୍ର ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ କରିବା ସହ ଲକ୍ଷ୍ମୀ ବସ୍‌ରେ କଣ୍ଡକ୍ଟର ନିଯୁକ୍ତି ଆଳରେ ଠକେଇ କରି ୨୫ ହଜାର ଟଙ୍କା ଅସୁଲି କରୁଥିବା ଦୁଇ ଜଣ ଠକ ରାୟଗଡ଼ା ଜିଲ୍ଲା ଗୁଣପୁରର ହାଉସିଂ ବୋର୍ଡ କଲୋନିର ସରୋଜ ଲିମା ଏବଂ କଣ୍ଟାବାଞ୍ଜି ଧୁବାପଡ଼ା ୱାର୍ଡ ନଂ୧ର ବେଣୁଗୋପାଳ ବେହେରାକୁ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ନଗଦ ୪୭୦୦ ଟଙ୍କା, ଏକ ମୋବାଇଲ ଫୋନ, ଏକ କାର ଜବତ କରିବା ସହ ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଗିରଫ ଦୁଇ ଜଣଙ୍କ ପଛରେ କିଏ ରହିଛି? ଏଭଳି ଲାଞ୍ଚ ମାଗିବା ପାଇଁ କିଏ ନିୟୋଜିତ କରିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଜବତ କାର୍‌ (ଓଡି ୦୩ଏମ୍‌-୭୩୭୩)ର ପ୍ରକୃତ ମାଲିକ କିଏ? ଦୁଇ ଠକଙ୍କ ପାଖକୁ କାର୍‌ କେମିତି ଆସିଲା? ଏଭଳି ବହୁ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ଟିଟିଲାଗଡ଼ ପୁଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଅବନୀ ସାହୁଙ୍କ ସହ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ର ଏସ୍‌ଆଇ କେ.କେ ଯାନୀ, ଏଏସଆଇ ଏସ୍‌. ସାହୁ, ବି.ଡି ଭୋଇ, ବଲାଙ୍ଗୀର ଟାଉନ୍‌ ଥାନାର ଟି. ଭୂମିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe