ଡେଙ୍ଗୁ ଅଣାୟତ୍ତ: ସପ୍ତାହକରେ ୫୦ ଆକ୍ରାନ୍ତ, ୨ ଜଣଙ୍କ ମୃତ୍ୟୁ

Advertisment

 ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଆଶାକର୍ମୀ, ବ୍ରହ୍ମପୁର-ବିଶାଖାପାଟଣା ମେଡ଼ିକାଲରେ ଚାଲିଛି ଚିକିତ୍ସା

 ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଆଶାକର୍ମୀ, ବ୍ରହ୍ମପୁର-ବିଶାଖାପାଟଣା ମେଡ଼ିକାଲରେ ଚାଲିଛି ଚିକିତ୍ସା

ଡେଙ୍ଗୁ ଅଣାୟତ୍ତ: ସପ୍ତାହକରେ ୫୦ ଆକ୍ରାନ୍ତ, ୨ ଜଣଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଶିକରପାଇରେ ଡେଙ୍ଗୁ ଅଣାୟତ୍ତ ହୋଇ ପଡିଛି। ସପ୍ତାହକ ମଧ୍ୟରେ ଶିକରପାଇରୁ ୫୦ରୁ ଊର୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଆକ୍ରାନ୍ତ ବ୍ରହ୍ମପୁର ଓ ବିଶାଖାପାଟଣାର ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଟିମ୍ ଶିକରପାଇରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସହ ମଶା ନିପାତ ପାଇଁ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି।

ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି କାମେଶ୍ବର ନିମାଲପୁରୀ (୩୫) ଙ୍କ ମୃତ୍ୟୁ ହେବା ପରେ ସ୍ବାସ୍ଥ୍ୟ ବିଭାଗ ଜରୁରି ବୈଠକ ଡାକିଛି। କାମେଶ୍ବରଙ୍କ ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଘରେ ଘରେ ଆକ୍ରାନ୍ତ ପଡି ରହିଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଟିମ୍ ପ୍ରୟାସ ଜାରି ରଖିଛି। ମେଡ଼ିକାଲ୍ ଟିମ୍, ଏଡିଏମ୍ଓ ଡା. ବି. ଏଲ୍. ଏନ୍. ପୃଷ୍ଟି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ମୁତୟନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଗତ ସପ୍ତାହକ ମଧ୍ୟରେ ଶିକରପାଇରୁ ୭୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସେଥି ମଧ୍ୟରୁ ୨୯ ଜଣ ଡେଙ୍ଗୁ ପଜିଟିଭ୍ ଥିବା ଜଣା ପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆଶା ଦିଦି ରହିଛନ୍ତି।

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଆଶା ଦିଦିଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସ୍ଥିତିରେ ସୁଧାର ନ ଆସିବା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସପ୍ତାହକ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ପରେ ଜ୍ବରରେ ପୀଡ଼ିତ ଥିବା ଅନେକ ଆକ୍ରାନ୍ତ ସରକାରୀ ମେଡ଼ିକାଲ୍ ଉପରୁ ଆସ୍ଥା ହରାଇ ଆନ୍ଧ୍ରର ବିଭିନ୍ନ ବେସରକାରୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଟିମ୍ ପୁରା ଶିକରପାଇ ଗାଁ ବୁଲି ମଶା ବଂଶ ବୃଦ୍ଧି ଅଞ୍ଚଳକୁ ଚିହ୍ନଟ କରିବା ସହ ବ୍ଲିଚିଂ ପାଉଡର୍ ଏବଂ ମଶା ଦମନ ତେଲ ସିଞ୍ଚନ କରିଛି। ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି ସହ ଘରକୁ ଘର ବୁଲି ଟିମ୍ କର୍ତ୍ତୃପକ୍ଷ କାଉନସେଲିଂ ଆରମ୍ଭ କରିଛନ୍ତି। ସମସ୍ତ ପରିବାର ସଦସ୍ୟଙ୍କ ତାଲିକା କରାଯାଇ ସ୍ବାସ୍ଥ୍ୟ ଉପରେ ନଜର ରଖାଯିବା ସହ ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe