ନାବାଳିକା ଦୁଷ୍କର୍ମ ମାମଲା: କେନ୍ଦୁଝରରେ ଦୋଷୀକୁ ୨୦, ଫୁଲବାଣୀରେ ଦୁଷ୍କର୍ମକାରୀକୁ ୨୫ ବର୍ଷ ଜେଲଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା: କେନ୍ଦୁଝରରେ ଦୋଷୀକୁ ୨୦, ଫୁଲବାଣୀରେ ଦୁଷ୍କର୍ମକାରୀକୁ ୨୫ ବର୍ଷ ଜେଲଦଣ୍ଡ

Photo: NDTV

କେନ୍ଦୁଝର/ଫୁଲବାଣୀ: ଦୁଇ ଜଣ ନାବାଳିକା ଦୁଷ୍କର୍ମକାରୀଙ୍କୁ କେନ୍ଦୁଝର ଓ ଫୁଲବାଣୀ କୋର୍ଟରେ ମଙ୍ଗଳବାର ଜେଲଦଣ୍ଡ ମିଳିଛି। ଦୁଷ୍କର୍ମକାରୀ ଅଭିଯୁକ୍ତ ବିଜୟ କୁମାର ମହାରଣାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କେନ୍ଦୁଝର ପକ୍ସୋ କୋର୍ଟ । ଏଥିସହ କୋର୍ଟ ନାବାଳିକାକୁ ୭ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଅନୁକମ୍ପା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,  ୨୦୧୭ ମସିହା ବଡ଼ବିଲ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଜଣେ ନାବାଳିକା ବଜାରକୁ ଯାଉଥିବା ସମୟରେ ୩ ଜଣ ଲୋକ ତାଙ୍କୁ ରାସ୍ତାରୁ ଏକ ବାଇକ୍‌ରେ ଉଠାଇ ନେଇଥିଲେ। ନାବାଳିକାକୁ ସେମାନେ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପରେ କୌଶଳକ୍ରମେ ନାବାଳିକା ଜଣକ ଦୁଷ୍କର୍ମକାରୀଙ୍କ କବଳରୁ ଖସି ଆସିଥିଲା। ମାମଲାର ବିଚାର କରି ୧୪ ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି ଅଭିଯୁକ୍ତ ବିଜୟ କୁମାର ମହାରଣାକୁ ପୋକ୍ସୋ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ବୋଲି ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଅନ୍ୟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୫ ବର୍ଷ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଦୋଷୀ ବିଜୟ ନାୟକକୁ ଏହି ଦଣ୍ଡାଦେଶ ହୋଇଛି। କୋର୍ଟ ପୀଡ଼ିତାକୁ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଘୁ.ଉଦୟଗିରି ଥାନା ଅଞ୍ଚଳର ଜନୈକ ୭ ବର୍ଷର ନାବାଳିକା ନିଜ ଘର ସାମ୍ନାରେ ଖେଳୁଥିବା ବେଳେ ରାଇପଲି ଗ୍ରାମର ବିଜୟ ନାୟକ (୫୦) ନାମକ ଜଣେ ବ୍ୟକ୍ତି ତାକୁ ନିଜ ଦୋକାନକୁ ଟେକି ନେଇ ତା' ସହ ଦୁଷ୍କର୍ମ କରିଥିଲା। ଏ ନେଇ କାହା ଆଗରେ ନ କହିବାକୁ ବିଜୟ ଉକ୍ତ ନାବାଳିକାକୁ ଧମକ ଦେଇଥିଲା। ଭୟରେ ନାବାଳିକାଟି ଏକଥା କାହାକୁ କହି ନଥିଲା। ତେବେ ରାତିରେ ଯନ୍ତ୍ରଣା ଅନୁଭବ କରିବାରୁ ନାବାଳିକା କାନ୍ଦିଥିଲା ଏବଂ ପରେ ଘର ଲୋକେ ଏ ସମ୍ପର୍କରେ ଜାଣିଥିଲେ। ପରଦିନ ପୀଡ଼ିତା ନାବାଳିକାର ମା' ଘୁ.ଉଦୟଗିରି ଥାନାରେ ଏ ନେଇ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫୁଲବାଣୀ ସ୍ବତନ୍ତ୍ର ପକ୍‌ସୋ କୋର୍ଟର ବିଚାରପତି ସଞ୍ଜିତ କୁମାର ବେହେରା ଏହି ମାମଲାର ଶୁଣାଣି କରି ସାକ୍ଷୀମାନଙ୍କ ବୟାନ ଓ ପାରିପାର୍ଶ୍ବିକ ପ୍ରମାଣ ଅଧାରରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe