Image Courtesy of India.com
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନସ୍ଥ କଲିଆପଦର ଗ୍ରାମର ଜଣେ ଯୁବତୀଙ୍କୁ ବଳପୂର୍ବକ ଗର୍ଭପାତ କରାଇଥିବା ଅଭିଯୋଗକୁ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଏହି ଘଟଣାରେ ସମ୍ପର୍କୀୟ ଶଶୁର ଏବଂ କ୍ବାକ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ପିଡ଼ିତାଙ୍କ ସ୍ୱାମୀ ଫେରାର୍ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଲାଇଛି।
ସୂଚନା ଅନୁଯାୟୀ କଲିଆପଦର ଗ୍ରାମର ଜଣେ ଯୁବତୀଙ୍କ ସହିତ ଧଡ଼୍ରାସିମୋଡ଼ା ଗ୍ରାମର ମେହେତାବ ଗଣ୍ଡଙ୍କ ମଧ୍ୟରେ କିଛି ମାସ ପୂର୍ବେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେମାନଙ୍କ ସମ୍ପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ଯୁବତୀ ଜଣକ ଦୁଇ ମାସର ଗର୍ଭବତୀ ହୋଇ ଯାଇଥିଲେ। ଏହା ପରେ ସେମାନେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଚାଲି ଯାଇଥିଲେ। ୪ ମାସ ସେଠାରେ ରହିବା ପରେ ଦୁହେଁ ପୁଣି ଘରକୁ ଫେରୁଥିଲେ। ଯୁବତୀ ଜଣକ ୬ ମାସର ଗର୍ଭବତୀ ହୋଇଥିବାରୁ ମେହେତାବ ତାକୁ ସାଙ୍ଗରେ ନିଜ ଘରକୁ ନେଇ ରଖିଥିଲା। ମେହେତାବଙ୍କ ପରିବାର ଲୋକେ ମଧ୍ୟ ଯୁବତୀଙ୍କୁ ଗ୍ରହଣ କରିବା ସହିତ ଦୁହିଁଙ୍କ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୨୦ ଦିନ ପୂର୍ବେ ମେହେତାବ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଶଶୁର ସଗାଲାଲ୍ ଗଣ୍ଡ ପରଚିପରାକୁ କାମ କରିବାକୁ ଯିବା କହି ଯୁବତୀଙ୍କୁ ସାଥିରେ ନେଇ ଯାଇଥିଲା। ସେଠାରେ ପୁର୍ବ ଯୋଜନା ଅନୁଯାଇ ସେଠାକାର ଜଣେ କ୍ବାକ୍ ଆଲିୟସ ତାପସ ଯୁବତୀଙ୍କୁ ଜୋର୍ ଜବରଦସ୍ତ ଗର୍ଭପାତ କରାଇବାକୁ ଗୋଟାଏ ପରେ ଗୋଟାଏ କରି ୧୦ ଗୋଟି ଇଞ୍ଜକସନ୍ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି।
ଯୁବତୀ ଜଣକ ଅଚେତ ହୋଇଯିବା ପରେ ତାର ଗର୍ଭପାତ କରାଇ ଘରକୁ ନେଇ ଆଣିଥିଲେ। ଯୁବତୀ ଜଣକ ନିଜ ପେଟରେ ରହିଥିବା ଶିଶୁକୁ ନେଇ ବାରମ୍ବାର ଶାଶୁ ଶଶୁରଙ୍କୁ ପଚାରିବା ଫଳରେ ସେମାନେ ତାକୁ ମାର୍ ପିଟ କରିବା ସହିତ ତୋର ମଲା ଛୁଆ ଜନ୍ମ ହୋଇଛି ବୋଲି କହି କଥାକୁ ଏଡ଼ାଇ ଦେଇଥିଲେ। ନିଜ ଶିଶୁକୁ ସେ ଦେଖି ପାରି ନଥିବାରୁ ପାଗଳ ପ୍ରାୟ ହୋଇ ନିଜ ବାପାଙ୍କୁ ଖବର ଦେଇଥିଲେ। ପରେ ବାପା ଆସି ଯୁବତୀଙ୍କୁ ଘରକୁ ନେଇ ଯିବା ପରେ ସମସ୍ତ ଘଟଣା ଶୁଣି ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ।
ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗ ନେଇ ମେହେତାବ ଗଣ୍ଡ, ଶଶୁର ସଗାଲାଲ୍ ଗଣ୍ଡ, କ୍ବାକ୍ ଆଲିୟସ ତାପସ ଓ ଶାଶୁଙ୍କ ବିରୋଧରେ ଯୁବତୀ ଜଣକ ଥାନାରେ ଏତଲା ଦେବାପରେ ଥାନା କେଶ୍ ନମ୍ବର ୮୫/୨୦୨୪ ରେ ଏକ ମାମଲା ଋଜ୍ଜୁ ହୋଇଥିଲା। ତଦନ୍ତ ଦାୟିତ୍ୱରେ ଥିବା ଥାନା ସବ୍ ଇନିସ୍ପେକ୍ଟର୍ ମନୋଜ କୁମାର ବେହେରା ଘଟଣାର ତଦନ୍ତ କରିବା ସହିତ ଶଶୁର ସଗାଲାଲ୍ ଗଣ୍ଡ ଓ କ୍ବାକ୍ ଆଲିୟସ ତାପସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହି ଘଟଣାରେ ମେହେତାବ ଗଣ୍ଡ ଫେରାର ଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଜଣାପଡ଼ିଛି।
Follow Us