ଦୁଇ ଭଉଣୀଙ୍କ କୂଅରୁ ଶବ ମିଳିବା ଘଟଣା : ଆତ୍ମହତ୍ୟା ନୁହଁ, ବାପା ହତ୍ୟାକାରୀ

Advertisment
ଦୁଇ ଭଉଣୀଙ୍କ କୂଅରୁ ଶବ ମିଳିବା ଘଟଣା : ଆତ୍ମହତ୍ୟା ନୁହଁ, ବାପା ହତ୍ୟାକାରୀ

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗ୍ରାମର ଏକ କୂଅରୁ ଦୁଇ ଭଉଣୀଙ୍କ ଶବ ମିଳିବା ଘଟଣା ନୂଆମୋଡ଼ ନେଇଛି। ଏହା ଆତ୍ମହତ୍ୟା ନୁହେଁ, ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ! ଦୁଇ ଝିଅଙ୍କୁ ବିଷ ଦେଇ ବାପା ହିଁ ହତ୍ୟା କରିଛି। ପୁଲିସ୍‌ ହତ୍ୟାକାରୀ ବାପାକୁ ଗିରଫ କରିଥିବା ବେଳେ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଗତକାଲି ବି.ସ୍ବପ୍ନା ଆଚାରୀ ଓ ତାଙ୍କ ଭଉଣୀ ବି.କିରଣ ଆଚାରୀଙ୍କ ଶବ କୂଅରୁ ମିଳିଥିଲା। ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଉଭୟ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ବାପା ପ୍ର‌େମାଦ ଗତକାଲି ପୁଲିସ୍‌ ଆଗରେ ବୟାନ୍ ଦେଇଥିଲେ। ମାତ୍ର, ପ୍ରମୋଦଙ୍କ ଗତିବିଧି ଉପରେ ପୁଲିସ୍‌ର ସନ୍ଦେହ ହୋଇଥିଲା। ପୁଲିସ୍‌ ଆଣି ପଚରାଉଚରା କରିବା ପରେ ପ୍ରମୋଦ ସମସ୍ତ ଦୋଷ ସ୍ବୀକାର କରିଛନ୍ତି ।

ଆଜି ସନ୍ଧ୍ୟାରେ ପୁଲିସ ଅଭିଯୁକ୍ତ ବାପା ପ୍ରମୋଦଙ୍କୁ ନେଇ ଛେଳିଗଡ଼ ଗ୍ରାମରେ ପହଞ୍ଚିବା ପରେ ସେ ସମସ୍ତ ତଥ୍ୟ ଉଗାଳିଥିଲେ। ପ୍ରମୋଦଙ୍କ ଏକ ଷ୍ଟେସନାରୀ ଦୋକାନ ଥିବା ବେଳେ ତାଙ୍କର ୫ ଝିଅ। ପ୍ରଥମ ତଥା ବଡ଼ ଝିଅ ବି.ସନ୍ତୋଷୀ ଆଚାରୀ ସ୍ବାମୀଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିବା ବେଳେ ଦ୍ବିତୀୟ ଝିଅ ମୀନା ଗୋଳନ୍ଥାରେ ବିବାହ କରି ରହୁଛନ୍ତି। ତେବେ ଏହା ମଧ୍ୟରେ ଚତୁର୍ଥ ଝିଅ ପ୍ରିୟା ଅନ୍ୟ ଜାତିର ପୁଅ ତଥା ମହେନ୍ଦ୍ରଗଡ଼ର ବାସିନ୍ଦା ଗଣେଶ ସାହୁଙ୍କୁ ବିବାହ କରିଥିଲେ। ତୃତୀୟ ଝିଅ ସ୍ବପ୍ନା ଓ ପଞ୍ଚମ ଝିଅ କିରଣ ବିବାହ କରି ନଥିଲେ। ଇତିମଧ୍ୟରେ ତୃତୀୟ ଝିଅ ସ୍ବପ୍ନାଙ୍କ ବାହାଘର ଭୁବନେଶ୍ବରରେ ଠିକ୍ ହେବା ପରେ ଚତୁର୍ଥ ଜ୍ବାଇଁ ଗଣେଶ ପ୍ରସ୍ତାବ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ସ୍ବପ୍ନାଙ୍କ ଭାବି ଶ୍ବଶୁର ଘରକୁ ଫୋନ୍ କରୁଥିଲେ। ଆଉ ସ୍ବପ୍ନାଙ୍କ ସହ ବହୁ ଯୁବକଙ୍କ ସଂପର୍କ ଥିବା କହିଥିଲେ। ଫଳରେ ପ୍ରସ୍ତାବ ଭାଙ୍ଗିଯାଇଥିଲା। ଗଣେଶର ଏହି ଅଡ଼ିଓ କ୍ଲିପିଂ ବି ପୁଲିସକୁ ମିଳିଛି ।

ଝିଅର ପ୍ରସ୍ତାବ ଭାଙ୍ଗିଯିବା ପରେ ବାପା ପ୍ରମୋଦ ଓ ମା’ ରାଜୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ଆଉ ସେମାନେ ସ୍ବପ୍ନାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ଫଳରେ ବଦନାମ ଭୟରେ ସ୍ବପ୍ନା ଓ ପଞ୍ଚମ ଝିଅ କିରଣଙ୍କୁ ହତ୍ୟା କରିବାକୁ ସେମାନେ ଯୋଜନା କରିଥିଲେ।

ଗତ ୨୮ ତାରିଖ ରାତିରେ ସେମାନେ ଦୁଇ ଝିଅଙ୍କୁ ଦୁଇ ଗ୍ଲାସ୍ ବିଷ ଦେଇ କହିଥିଲେ, ତୁମେ ଏହାକୁ ପିଇବ ନା’ ଆମେ ପିଇବୁ। ବାପାମା’ଙ୍କ ଦୁଃଖ ଦେଖି ନପାରି ସ୍ବପ୍ନା ଓ କିରଣ ବିଷ ପିଇ ଦେଇଥିଲେ। ଉଭୟଙ୍କ ମୃତ୍ୟୁ ପରେ ସେମାନଙ୍କୁ କୂଅରେ ପକାଇ ଦିଆଯାଇଥିଲା। କାଳେ କାହା ଉପରେ ସନ୍ଦେହ ଉପୁଜିବ, ଏଥିପାଇଁ ସମସ୍ତ ପ୍ରମାଣ ନଷ୍ଟ କରିବାକୁ ବାପା ପ୍ରମୋଦ ଚେଷ୍ଟା କରିଥିଲେ। ଆଉ ବିଷ ବୋତଲ ସମେତ ବିଭିନ୍ନ ସାମଗ୍ରୀକୁ ଘର ନିକଟ ଭଲିବଲ କୋର୍ଟ ପାର୍ଶ୍ବରେ ଫୋପାଡ଼ି ଦେଇ ଥିଲେ। ଆଉ ସକାଳେ ଦୁଇ ଝିଅ ଆତ୍ମହତ୍ୟା କରିଥିବା ପୁଲିସ ଆଗରେ ମିଥ୍ୟା କହିଥି‌େଲ ବୋଲି ପ୍ରମୋଦ ସ୍ବୀକାର କରିଛନ୍ତି।

ଅନ୍ୟପକ୍ଷରେ ପ୍ରମୋଦଙ୍କ ସ୍ବୀକାରୋକ୍ତିକୁ ପୁଲିସ ସହଜରେ ଗ୍ରହଣ କରିପାରିନି। ଦୁଇ ଝିଅଙ୍କୁ ସେ ଜବରଦସ୍ତ ବିଷ ପିଆଇ ହତ୍ୟା କରିଛନ୍ତି ନା’, ଅନ୍ୟ ମାଧ୍ୟମରେ ହତ୍ୟା କରାଯାଇଛି ଏହାକୁ ନେଇ ତଦନ୍ତକୁ ତ୍ବରାନ୍ବିତ କରିଛି। ଏହି ଘଟଣାରେ ପ୍ରମୋଦଙ୍କ ସମେତ ଆଉ କିଛି ଜଣଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe