ଯାଜପୁର: ସାପ ପାଟିରୁ ବାହାରିଲା ଆଉ ଏକ ସାପ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ସାନ କୁଅଁଳ ଚାଉଳିଆ ଗାଁରୁ ଉଦ୍ଧାର ହୋଇଛି ସାଢ଼େ ୫ ଫୁଟ ଲମ୍ବର ରଣା ସାପ। ସେହି ରଣା ସାପ ପାଟିରୁ ଏକ ବୋଡ଼ା ସାପକୁ ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଏକ ରଣା ସାପ ବୋଡ଼ା ସାପକୁ ଗିଳୁଥିବା ଦେଖି ଗାଁ ଲୋକେ ସ୍ନେକ ହେଲ୍ପଲାଇନ ସଦସ୍ୟ ଚିତ୍ତରଞ୍ଜନ ପଣ୍ଡାଙ୍କୁ ଖବର ଦେଇଥିଲେ । ଚିତ୍ତରଞ୍ଜନ ଘଟଣାସ୍ଥଳରେ ପହଞ୍ଚି ସାପକୁ ପୋଖରୀ ଭିତରୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ସାପମାନେ ସାଧାରଣତଃ କୀଟ-ପତଙ୍ଗ ଖାଇଥାନ୍ତି । ସେହିପରି ସାପମାନେ ବେଙ୍ଗ ଓ ଅନ୍ୟ ଛୋଟ ଛୋଟ ଜୀବ ମଧ୍ୟ ଖାଇଥାନ୍ତି । କିନ୍ତୁ ସାପକୁ ସାପ ଖାଇବା ନିଶ୍ଚିତ ଭାବେ ଏକ ବିରଳ ଘଟଣା ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଂଚଳରେ ଅନେକ ସମୟରେ ସାପମାନଙ୍କର ଦ୍ୱାରା ମନୁଷ୍ୟମାନେ ଶିକାର ହେଉଛନ୍ତି । ଗତକାଲି ପୁଅକୁ ବଂଚାଇବା ପାଇଁ ଯାଉଥିବା ବେଳେ ଜନୈକା ମା’ ସାପ କାମୁଡ଼ାର ଶିକାର ହୋଇ ଜୀବନ ହାରିଛନ୍ତି । ଦଶରଥପୁର ବ୍ଲକ ତଳିହା ପଂଚାୟତ ବରହଟା ଗ୍ରାମର ଚିନ୍ମୟ ରାଉତଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଉତ ନିଜର ଦେଢ଼ବର୍ଷର ପୁଅକୁ ଶୁଆଇ ଦେଇ ଘର କାମରେ ବ୍ୟସ୍ତ ଥିବା ବେଳେ ପୁଅ ପାଖରେ ବିଷଧର ସାପଟିଏକୁ ଦେଖିବାକୁ ପାଇଥିଲେ । ପୁଅକୁ ବଂଚାଇବାକୁ ଯାଇ ସେ ହଠାତ ହାତରେ ସାପଟିକୁ ଧରି ଫୋପାଡି ଦେଇଥିଲେ । ଏହି ସମୟରେ ସାପଟି ପ୍ରିୟଦର୍ଶନୀଙ୍କ ଡାହାଣ ହାତକୁ ଚୋଟ ମାରି ଦେଇଥିଲା । ପରିବାର ଲୋକ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
Follow Us