ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ୨ ନିଲମ୍ବିତ, ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

Advertisment
ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ୨ ନିଲମ୍ବିତ, ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

Sambad

ବୈପାରିଗୁଡା:  ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବେଶ୍ ହଟଚମଟ ଦେଖିବାକୁ ମିଳିଥିଲା। ଶାସକ ବିଜେଡି ଦଳ ତରଫରୁ ପ୍ରଶାନ୍ତ ଗୁପ୍ତା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ତରଫରୁ ସାବିତ୍ରୀ ନାୟକଙ୍କୁ ପ୍ରାର୍ଥୀ ରୂପେ ଚୟନ କରାଯାଇଥିଲା। ତେବେ ବିଜେଡ଼ି ସମର୍ଥିତ ପ୍ରଶାନ୍ତ ଗୁପ୍ତା ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ତେବେ ଏହି ନିର୍ବାଚନରେ ଯେଉଁ ହଟଚମଟ ସୃଷ୍ଟି ହୋଇଥିଲା, ତାହା କଂଗ୍ରେସ ପାଇଁ ପରାଜୟର କାରଣ ସାଜିଥିଲା। ସଂଖ୍ୟା ଗଣନା ଅନୁଯାୟୀ ପ୍ରଶାନ୍ତଙ୍କ ସପକ୍ଷରେ ନଅ ଜଣ ସଭ୍ୟ ରହିଥିବା ବେଳେ କଂଗ୍ରେସର ଛଅ ଜଣ ସଭ୍ୟ ରହିଥିଲେ ମଧ୍ୟ ବିଜେଡ଼ିର ଅସନ୍ତୁଷ୍ଟ ଗୋଷ୍ଠୀର ଚାରିଜଣ ଏବଂ ସ୍ବାଧୀନ ପଦ ସଭ୍ୟ ସମର୍ଥନ ଜଣାଇଥିଲେ। ଏଗାର ଜଣ ସଭ୍ୟଙ୍କ ସମର୍ଥନ ନେଇ କଂଗ୍ରେସ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଦୃଢ଼ ନିଶ୍ଚିତ ରହିଥିବା ବେଳେ ଭୋଟ ଗଣତି ଫଳାଫଳ ଘୋଷଣା ପରେ ସବୁ ଓଲଟ ପାଲଟ ହୋଇଯାଇଥିବାରୁ କଂଗ୍ରେସ ହତବାକ୍ ହୋଇଯାଇଥିଲା। ଦଳର ଦୁଇ ଜଣ ସଭ୍ୟ କ୍ରସ୍ ଭୋଟିଂ କରିବା ସହ ପ୍ରଶାନ୍ତ ଗୁପ୍ତା ନିର୍ବାଚିତ ହେବାରେ ମୁଖ୍ୟ ଭୂମିକା ନେଇଥିଲା।

ଆଜି ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହେବା ପରେ ବ୍ଲକ କଂଗ୍ରେସ ସଭାପତି ଗ‌ୌରଚନ୍ଦ୍ର ପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ଦଳୀୟ ପ୍ରାର୍ଥୀ ଜିତିବା ନିଶ୍ଚିତ ଥିବାବେଳେ ଦଳର ଦୁଇ ଜଣ କର୍ମକର୍ତ୍ତା ଦଳ ବିରୋଧୀ କାର୍ଯ୍ୟ କରିବା ସହ ବିରୋଧୀ ପକ୍ଷକୁ ସହଯୋଗ ପ୍ରଦାନ କରିଥିଲେ। କଳାଟଂକାର ଲୋଭରେ ସେମାନେ ନିଜକୁ ବିକ୍ରି କରିଦେଇଥିବାର ଦୃଢ଼ ପ୍ରମାଣ ମିଳିଥିବାରୁ ମାଝୀଗୁଡା ପଞ୍ଚାୟତର ସଭାପତି ରଘୁନାଥ ମାଳି ଏବଂ ଯୁବ କର୍ମକର୍ତ୍ତା ଅରୁଣ ବାରିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସେହିଭଳି ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ଭୋଟ ଦେଇଥିବାରୁ ମାଝୀଗୁଡା ସମିତି ସଭ୍ୟା ପାର୍ବତୀ ଗାଦବା ଏବଂ କାଠପଡା ସମିତି ସଭ୍ୟା ସୁବାସିନୀ ସାନ୍ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଦୁହେଁ ଏଭଳି ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି, ସେ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe