ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଏକାସଙ୍ଗେ ଦୁଇଟି ସିଷ୍ଟମ୍ ବିକଶିତ ହେଉଥିବା ବେଳେ ବାତ୍ୟା ଆଶଙ୍କା ଆହୁରି ଘନୀଭୂତ ହୋଇଛି। ମାଲେସିଆ ଓ ସଂଲଗ୍ନ ମାଲାକ୍କା ପ୍ରଣାଳୀ ଉପରେ ଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହୋଇଛି। ମାଲେସିଆର ଜର୍ଜ ଟାଉନ୍ଠାରୁ ପ୍ରାୟ ୭୦ କିମି ପଶ୍ଚିମରେ, ଇଣ୍ଡୋନେସିଆର କୁଟା ମାକମୁରଠାରୁ ୨୯୦ ମିମି ପୂର୍ବରେ, ନିକୋବର ଦ୍ବୀପପୁଞ୍ଜର ନାନକେରିରୁ ୭୪୦ କିମି ପୂର୍ବ-ଦକ୍ଷିଣପୂର୍ବରେ ଏବଂ କାର୍ ନିକୋବରରୁ ୮୭୦ କିମି ପୂର୍ବ-ଦକ୍ଷିଣପୂର୍ବରେ ଆଜି ଏହା ଅବସ୍ଥାନ କରିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ କୋମୋରିନ୍ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଶ୍ରୀଲଙ୍କା ଓ ଭାରତ ମହାସାଗର ଉପରେ ଆଜି ରହିଥିଲା। ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।
ତେବେ ଉଭୟ ସିଷ୍ଟମ ମିଶିଲେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୨୭ ତାରିଖ ଆଡ଼କୁ ଏନେଇ ସ୍ପଷ୍ଟତା ଆସିବ। ଅନ୍ୟପଟେ ଏବେ ରାଜ୍ୟରେ ଶୀତ ପ୍ରକୋପ କମିଛି। ସୁନ୍ଦରଗଡ଼ର କିଛି କିଛି ସ୍ଥାନରେ ଅତି ଘନ କୁହୁଡ଼ି ଦେଖାଯାଇଥିବା ବେଳେ କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଥିଲା। ରାଜ୍ୟରେ ପାଗ ଶୁଖିଲା ରହିଛି। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ରାତିର ପାରଦ ସ୍ତର ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଛି। ଅବଶିଷ୍ଟ ଜିଲ୍ଲାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ପରବର୍ତ୍ତୀ ୫ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ସ୍ତର ବଢ଼ିପାରେ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ କୁହୁଡ଼ିଆ ପାଗ ରହିବ। ପାଗ ଆଂଶିକ ମେଘୁଆ ରହିବ। ସର୍ବନିମ୍ନ ରାତି ତାପମାତ୍ରା ୧୬ ଡିଗ୍ରି ପାଖାପାଖି ରହିବ।
Follow Us