୫ଟି କଳିଙ୍ଗା ଉଚ୍ଚବିଦ୍ୟାଳୟର ଶୋଚନୀୟ ଅବସ୍ଥା: ନବମ-ଦଶମ ଶ୍ରେଣୀର ୧୨୯ ପିଲାଙ୍କୁ ପାଠ ପଢ଼ାଉଛନ୍ତି ୨ ଜଣ ଶିକ୍ଷକ

ମୁଣ୍ଡ ଉପରେ ଦଶମ ବୋର୍ଡ ପରୀକ୍ଷା, ପିଲାଙ୍କ ଭବିଷ୍ୟତ ନେଇ ଚାଲିଛି ଖେଳ

୫ଟି କଳିଙ୍ଗା ଉଚ୍ଚବିଦ୍ୟାଳୟର ଶୋଚନୀୟ ଅବସ୍ଥା: ନବମ-ଦଶମ ଶ୍ରେଣୀର ୧୨୯ ପିଲାଙ୍କୁ ପାଠ ପଢ଼ାଉଛନ୍ତି ୨ ଜଣ ଶିକ୍ଷକ

ଘୁ. ଉଦୟଗିରି: ଗ୍ରାମାଞ୍ଚଳର ପିଲାଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସ୍ଥାନୀୟ ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ‘କଳିଙ୍ଗା ଉଚ୍ଚ ବିଦ୍ୟାଳୟ’ ଯାହା ୧୯୮୨ ମସିହାରେ ସ୍ଥାପିତ ହୋଇଥିଲା। ସ୍ଥାନୀୟ ଅଂଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯାହା ବର୍ତ୍ତମାନ ସରକାରଙ୍କ ଦୟାରୁ ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରଙ୍ଗ ମରାଯାଇ ୫ଟି ସ୍କୁଲରେ ରୂପାନ୍ତରିତ ହୋଇ ଦେଖିବାକୁ ଅତିସୁନ୍ଦର ଦିଶୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଶିକ୍ଷା ବିଭାଗ ଅଧିକାରୀଙ୍କ ଆଶ୍ଚର୍ଯ୍ୟ ଜନକ ଶିକ୍ଷା ନୀତି ଯୋଗୁଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଅନୁସାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି। ଆଉ ମାତ୍ର କିଛିଦିନ ପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ସାହିତ୍ୟ, ଇତିହାସ, ବିଜ୍ଞାନ, ଭୂଗୋଳ ଭଳି ମୁଖ୍ୟ ବିଷୟ ପାଇଁ ସ୍କୁଲରେ ଶିକ୍ଷକ ନାହାଁନ୍ତି।

ଛାତ୍ରଛାତ୍ରୀ ପଢ଼ିବେ କେବେ ପାଠ ବିଷୟରେ ବୁଝିବେ କଣ ଓ ପରୀକ୍ଷାରେ ଲେଖିବେ କଣ? ଗୋଟେ ପ୍ରକାର ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବିଭାଗୀୟ ଅଧିକାରୀ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ  ଥିବା ସମସ୍ତ ପଞ୍ଚାୟତର ଜନସଂଖ୍ୟା ଠାରୁ କଳିଙ୍ଗା ପଞ୍ଚାୟତର ଜନସଂଖ୍ୟା ସବୁଠାରୁ ଅଧିକ ଯାହା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ୮ କି.ମି ଦୂରତା ଅଟେ କିନ୍ତୁ ଅବହେଳିତ। ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ଖେଳକୁଦକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉକ୍ତ ବିଦ୍ୟାଳୟ ନିମନ୍ତେ ନା ଉତ୍ତମ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ଅଛନ୍ତି ନା କ୍ରୀଡ଼ା ପ୍ରଶିକ୍ଷଣ ପାଇଁ କୌଣସି କ୍ରୀଡ଼ା ପ୍ରଶିକ୍ଷକ ଅଛନ୍ତି କିନ୍ତୁ ବିଦ୍ୟାଳୟ ଟି ୫ ଟି ଅନ୍ତର୍ଭୁକ୍ତ। ବିଦ୍ୟାଳୟରେ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ି ଉପକୃତ ହେଉଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ୬୩ ବିଦ୍ୟାର୍ଥୀ ଓ ଦଶମ ଶ୍ରେଣୀରେ ୬୬ ସମୁଦାୟ ୧୨୯ ଜଣ ବିଦ୍ୟାର୍ଥୀ ପାଠ ପଢୁଥିବା ସୂଚନା ମିଳିଛି। ଉକ୍ତ ୨ଟି ଶ୍ରେଣୀ ନିମନ୍ତେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିବା ସ୍ଥାନରେ କେବଳ ୪ ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେଥି ମଧ୍ୟରୁ ୨ ଜଣ ରେଗୁଲାର ଶିକ୍ଷକ ଗଣିତ ଓ ସଂସ୍କୃତ ବିଷୟ ପାଇଁ କାର୍ଯ୍ୟରତ ଥିବା ବେଳେ ହିନ୍ଦୀ ଓ ସଂସ୍କୃତ ବିଷୟ ନିମନ୍ତେ ୨ ଜଣ ଅତିଥି ଶିକ୍ଷକ ନିଯୁକ୍ତ ଅଛନ୍ତି।

ଉଭୟ ଶ୍ରେଣୀର ପାଠ୍ୟକ୍ରମ ବିଷୟ ବସ୍ତୁ ଅନୁଯାୟୀ ସାହିତ୍ୟ, ବିଜ୍ଞାନ, ଇତିହାସ, ଭୂଗୋଳ ଓ ଖେଳ ଶିକ୍ଷକ ନାହାନ୍ତି। ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ବହୁତ୍ ଅସୁବିଧା ହେଉଥିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି।  ବିଦ୍ୟାଳୟରେ କିରାଣୀ, ଚପରାଶି ସ୍ଥାନ ମଧ୍ୟ ଖାଲି ଥିବାରୁ  ଅଫିସ କାମରେ ଅସୁବିଧା ହେଉଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶ୍ୟକତା ଅନୁସାରେ ଟେବୁଲ୍ ବେଞ୍ଚ ମଧ୍ୟ ନାହିଁ। ଏହା ଏକ ୫ଟି ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପ୍ରକାରର ମୌଳିକ ସୁବିଧା ନାହିଁ ବୋଲି ଅଭିଭାବକ ଉଦବେଗ ପ୍ରକାଶ କରଛନ୍ତି।

ସ୍କୁଲ ସମସ୍ୟା ନେଇ ପୂର୍ବରୁ ଗ୍ରାମବାସୀ ଆବଶ୍ୟକ ଶିକ୍ଷକ ପଦବି ଓ ଅନ୍ୟାନ୍ୟ ପଦବି ପୂରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ, ଗଣଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ  କରିଥିଲେ ମଧ୍ୟ ବିଭାଗୀୟ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ନିଷ୍କ୍ରିୟତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅପାରଗତା ଯୋଗୁଁ ନିଜ ପିଲା ମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ଅଭିଭାବକ। ଏ ନେଇ ବହୁ ଥର ବିଭିନ୍ନ ଗଣମାଧ୍ୟମରରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁ ନଥିବା କହିଛନ୍ତି ସମାଜସେବୀ ଆମନ ନାୟକ। ତାଙ୍କ କହିବା ଅନୁଯାୟୀ ଆସନ୍ତା ମେ ମାସ ଓ ୨୦୨୫  ମଧ୍ୟରେ ଆଉ ୨ ଜଣ ଶିକ୍ଷକ ଅବସର ନେବେ ସ୍କୁଲ ଖାଲି ହୋଇଯିବ।

ରାଜ୍ୟ ସରକାର ଶିକ୍ଷାକୁ ପ୍ରାଧାନ୍ୟ ଦେଇ କରିଥିବା ବିଭିନ୍ନ ଯୋଜନା ତଥା ୫ଟି ଅଧିନରେ ସ୍କୁଲ ଗୁଡ଼ିକୁ ସ୍ମାର୍ଟ୍ ସ୍କୁଲରେ ରୂପାନ୍ତରଣ ଯୋଜନା ଗୁଡିକୁ ନେଇ ଗ୍ରାମବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟାଳୟରେ ଖାଲିଥିବା ଖେଳ ପ୍ରଶିକ୍ଷକ ଓ ଅନ୍ୟ ଶିକ୍ଷକ ପଦବି ପୂରଣ ସହ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଦୃଢ଼ ଦାବି କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଶିକ୍ଷାଦାନ ରେ ଅନିୟମିତତା ବିରୋଧରେ ଅତିଶୀଘ୍ର ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe