ସାତକୋଶିଆରେ ୨ କଲରାପତରିଆ ମୃତ

ମା’ ଓ ଛୁଆର ଗଳିତ ମୃତଦେହ ଠାବ

ସାତକୋଶିଆରେ ରୋପଣ ହେବ ହେନ୍ତାଳ ବୃକ୍ଷ

ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଆଜି ଦୁଇଟି କଲରାପତରିଆ ବାଘଙ୍କ ଗଳିତ ମୃତଦେହ ଠାବ କରାଯାଇଛି। ମୃତ କଲରାପତରିଆଙ୍କ ମଧ୍ୟରୁ ଗୋଟିଏ ବଡ଼ ଓ ଅନ୍ୟଟି ଛୁଆ ବୋଲି ଜଣାପଡ଼ିଛି। ତେଣୁ ବାଘ ଦୁଇଟି ମା’, ଛୁଆ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ସାତକୋଶିଆରେ ଏକାଥରକେ ଦୁଇଟି ବାଘଙ୍କ ମୃତ୍ୟୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ଏହି ଘଟଣା ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟର ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗାଁ ନିକଟରେ ଜଙ୍ଗଲରୁ ପଚାଗନ୍ଧ ଆସିବା ଖବର ପାଇ ବନବିଭାଗ କର୍ମଚାରୀ ସେଠା‌ରେ ପହଞ୍ଚିଥିଲେ। କର୍ମଚାରୀ ପହଞ୍ଚିଲାବେଳକୁ ସେଠାରେ ଦୁଇଟି କଲରାପତରିଆ ବାଘଙ୍କ ଗଳିତ ମୃତଦେହ ପଡ଼ିଥିଲା। ସେମାନଙ୍କଠାରୁ ଖବର ପାଇ ଆର୍‌ସିସିଏଫ୍‌ ଏମ୍. ଯୋଗାଜୟାନନ୍ଦ, ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା, ଏସିଏଫ୍‌ଙ୍କ ସମେତ ରେଞ୍ଜ ଅଧିକାରୀ, ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ। କୁଲାଙ୍ଗୀ ଗ୍ରାମ ନିକଟ ଏକ ନାଳରେ ୨ ବାଘଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ସପ୍ତାହକ ପୂର୍ବରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ମା’ ଓ ଛୁଆ ବାଘର ମୃତ୍ୟୁ ଘଟିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ସନ୍ଦେହ କରାଯାଉଛି। ବଡ଼ ବାଘର ବୟସ ୪ ବର୍ଷ ଓ ଛୁଆ ବାଘର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ ଓ ଡା. କେଶବ ପ୍ରଧାନ ବାଘ ଦୁଇଟିର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ସେମାନଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ନମୁନା ଓୟୁଏଟି ପଠାଯିବ ବୋଲି ଡିଏଫ୍‌ଓ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ ୨୦ ତାରିଖରେ ସାତକୋଶିଆ ଅଭୟାରଣ୍ୟ ଗୋପାଳପୁର ନିକଟରେ ଏକ ୩ ବର୍ଷର ଅଣ୍ଡିରା କଲରପତରିଆ ବାଘ ଶିକାରୀ ଫାଶରେ ପଡ଼ିଥିଲା। ୮ଘଣ୍ଟା ପରେ ବନ ବିଭାଗ ଏହାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe