Down To Earth
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଖଣିଜ ପରିବହନ ଭଡ଼ାକୁ ନେଇ ଦୁଇ ଟ୍ରକ୍ ମାଲିକ ସଂଘ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ପରିବହନ ଭଡ଼ା ହ୍ରାସ କରାଯାଇଥିବା ଅଭିଯୋଗ ଆଣି ଖଣି ଫାଟକ ଆଗରେ କିଛିଦିନ ତଳେ ଧାରଣା ଦେଇଥିବା ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ (ମାଟୋଆ)କୁ ବିଜେପି ସମର୍ଥନ କରୁଛି। ଭଡ଼ା ହ୍ରାସ ପାଇଁ ଉଭୟ ଟ୍ରକ୍ ମାଲିକ ସଂଘ ଏବଂ ବିଜେପି ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ବିଧାୟିକାଙ୍କ ସପକ୍ଷରେ ବାହାରିଛି ଜୁରୁଡ଼ି ଟ୍ରକ୍ ମାଲିକ ସଂଘ। ଖଣି କମ୍ପାନି ପକ୍ଷରୁ ଆଦୌ ଭଡ଼ା କମାଯାଇନି କି ଏଥିରେ ବିଧାୟିକାଙ୍କ କୌଣସି ସମ୍ପୃକ୍ତି ନାହିଁ କହି ଖଣି କମ୍ପାନି ଓ ବିଧାୟିକାଙ୍କୁ କ୍ଲିନ୍ଚିଟ୍ ଦେଇଛି ଜୁରୁଡ଼ି ଟ୍ରକ୍ ମାଲିକ ସଂଘ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଦୁଇ ଟ୍ରକ୍ ମାଲିକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟକୁ ପଶି ଉଭୟ ବିଜେପି ଓ ବିଜେଡି ଫାଇଦା ନେବାକୁ ଉଦ୍ୟମ କରିବା ଏବେ ଖଣି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନା ଅନୁସାରେ, ଜଜାଙ୍ଗ ଖଣିରେ ପରିବହନ ଭଡ଼ା ହ୍ରାସ କରାଯାଇଥିବା ଅଭିଯୋଗ ଆଣି ଖଣି ଫାଟକ ଆଗରେ ୧୪ ତାରିଖରୁ ଧାରଣା ଦେଇଥିଲେ ମାଟୋଆର ସଦସ୍ୟମାନେ। ୧୯ ତାରିଖ ଅପରାହ୍ଣରେ ଧାରଣାରେ ବସିଥିବା ଟ୍ରକ୍ ମାଲିକଙ୍କୁ ଜଲହରି ଅଞ୍ଚଳର ଏକ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଟ୍ରକ୍ ମାଲିକ ସତ୍ୟାନନ୍ଦ କାରୁଆ ଗୁରୁତର ହୋଇଥିଲେ। ଏନେଇ ସତ୍ୟାନନ୍ଦ ବାମେବାରୀ ଥାନାରେ ଏତଲା ଦେଇଥିଲେ। ଅନ୍ୟପକ୍ଷରେ ଜଲହରି ପରିବହନ ସଂସ୍ଥାର ଲାଦୁ ମୁଣ୍ଡା ମାଟୋଆ ସଦସ୍ୟଙ୍କ ନାମରେ ପାଲଟା ଏତଲା ଦେଇଥିଲେ। ମାଟୋଆ ପକ୍ଷରୁ ଦିଆଯାଇଥିବା ଏତଲାରେ ବିଧାୟିକାଙ୍କ ସ୍ବାମୀ ଭକ୍ତବନ୍ଧୁ ମହାନ୍ତଙ୍କ ନାମ ଥିଲା। ଏହି ଖଣିରେ ବିଧାୟିକାଙ୍କ ସ୍ବାମୀ ପରିବହନ କାମ କରୁଛନ୍ତି। ଆକ୍ରମଣ ପଛରେ ବିଧାୟିକାଙ୍କ ହାତ ଥିବା ମାଟୋଆ ପକ୍ଷରୁ କୁହାଯାଇଥିଲା। ମାଟୋଆ ସପକ୍ଷରେ ବାହାରିଥିଲା ବିଜେପି। ଦଳ ପକ୍ଷରୁ ଯୋଡ଼ା ନଗର ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ପରିବହନ ଭଡ଼ା ହ୍ରାସ ପ୍ରତିବାଦରେ ଆନ୍ଦୋଳନ କଲେ ବିଧାୟିକାଙ୍କ ପ୍ରରୋଚନାରେ ଟ୍ରକ୍ ମାଲିକଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ କରିଥିଲେ।
ଏସବୁ ପରେ ଆଜି ବିଧାୟିକାଙ୍କ ସପକ୍ଷରେ ବାହାରିଛି ଉକ୍ତ ଖଣିରେ ଖଣିଜ ପରିବହନ କରୁଥିବା ଜୁରୁଡ଼ି ଟ୍ରକ୍ ମାଲିକ ସଂଘ। ଏନେଇ ଏକ ପ୍ରେସ ବିବୃତିରେ ସଂଘ ସଭାପତି ପ୍ରଭୁରଞ୍ଜନ ଶତପଥୀ ଜଣାଇଛନ୍ତି, ପରିବହନ ଭଡ଼ା ହ୍ରାସ ଓ ଟ୍ରକ୍ ମାଲିକଙ୍କୁ ଆକ୍ରମଣ ପଛରେ ସ୍ଥାନୀୟ ବିଧାୟିକାଙ୍କ ସଂପୃକ୍ତି ନେଇ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ (ମାଟୋଆ) ଯେଉଁ ଅଭିଯୋଗ କରିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଉକ୍ତ ଖଣିରେ ଉଭୟ ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ ଓ ଜୁରୁଡ଼ି ଟ୍ରକ୍ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ୍ମାନଙ୍କୁ ପୂର୍ବ ନିର୍ଦ୍ଧାରିତ ପରିବହନ ଭଡ଼ା ଦିଆଯାଉଛି। ଜଣେ ପୂର୍ବତନ ବିଧାୟକଙ୍କ ନିର୍ଦେଶରେ ଅଯଥା ଚମ୍ପୁଆ ବିଧାୟିକାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।
Follow Us