ଯୁଯୁମୁରା : ଠିକ୍ ୧ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଯୁଯୁମୁରା ଥାନା ଦେବଝରଣ ଜଳପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ସଲିଳ ସମାଧି ଘଟିଛି। ମୃତ ଛାତ୍ରଦ୍ବୟ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ) କମ୍ପ୍ୟୁଟର ସାଇନ୍ସ ବିଭାଗ ତୃତୀୟ ବର୍ଷର ଛାତ୍ର ଅଭିଜିତ ସାମଲ(୨୦) ଓ ସୌମ୍ୟରଞ୍ଜନ ବେହୁରିଆ(୨୧) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଯୁଯୁମୁରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଜିତଙ୍କ ଘର ହୀରାକୁଦ ଥାନା ହିଣ୍ଡାଲ୍କୋ କଲୋନିରେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୌମ୍ୟରଞ୍ଜନଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜାଈମରା ଗ୍ରାମରେ। ପରିବାର ଲୋକେ ପହଞ୍ଚିବା ପରେ ରବିବାର ସକାଳୁ ତାଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।
ଭିସୁଟ୍ ତୃତୀୟ ବର୍ଷର ୪୦ ଜଣ ଛାତ୍ରଛାତ୍ରୀ ଶନିବାର ସକାଳୁ ଘଣ୍ଟେଶ୍ବରୀ ନାମକ ଏକ ବସ୍ରେ ଦେବଝରଣ ଜଳ ପ୍ରପାତକୁ ବଣଭୋଜି କରିବାକୁ ଯାଇଥିଲେ। ସେଠାରେ ଥିବା ଜଳଭଣ୍ଡାର ନିକଟରେ ଭୋଜି ପାଇଁ ରୋଷେଇ ଚାଲିଥିବା ବେଳେ ପିଲାମାନେ ଜଳପ୍ରପାତ ପାଖକୁ ଯାଇ ପାହାଡ଼ରେ ଚଢ଼ି ଫଟୋ ଉଠାଉଥିଲେ। ଏହି ସମୟରେ ପ୍ରଥମେ ଅଭିଜିତ ଗାଧୋଇବା ପାଇଁ ପାଣି ମଧ୍ୟକୁ ପଶିଥିଲେ। ଯଦିଓ ପାଣିର ଗଭୀରତା ଅଧିକ ନଥିଲା ତଥାପି ମଧ୍ୟ ଅନ୍ତଃସ୍ରୋତ ଯୋଗୁଁ ସେ ଭିତରକୁ ଟାଣି ହୋଇଯାଇଥିଲେ। ଏହି ଘଟଣା ଦେଖିବା ପରେ ପାଖରେ ଥିବା ସୌମ୍ୟ ମଧ୍ୟ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ପ୍ରାୟ ୧୦ ମିନିଟ ଯାଏଁ ଉଭୟ ଅଭିଜିତ ଓ ସୌମ୍ୟ ପାଣିରୁ ନ ବାହାରିବାରୁ ଆଶଙ୍କାରେ ଅନ୍ୟ ଛାତ୍ରଛାତ୍ରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଆଖି ଆଗରେ ଏତେ ଅଳ୍ପ ପାଣିରେ ୨ ସାଙ୍ଗ ବୁଡ଼ି ଯାଉଥିବାର ଦେଖି ମଧ୍ୟ ଅନ୍ୟମାନେ ନିରୁପାୟ ହୋଇ ଯାଇଥିଲେ। ପାଣିରେ ପଶିବାକୁ ଭୟ ରହିବାରୁ ଗାମୁଛାରେ ଗଣ୍ଠି ପକାଇ ୨ ଜଣ ଛାତ୍ର ଅଣ୍ଟାରେ ବାନ୍ଧିବା ପରେ ଭିତରକୁ ପଶିଥିଲେ। ମାତ୍ର ବିଫଳ ହେବାରୁ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ। ଏହି ସମୟରେ ସେହି ପାଖରେ ଭୋଜି କରୁଥିବା ହୀରାକୁଦର ଏକ ପରିବାର ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିବା ସହ ପାଣିକୁ ପଶିଥିଲେ। ସେହି ସମୟ ମଧ୍ୟରେ ସୂଚନା ପାଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ସାରିଥିଲେ। ପ୍ରାୟ ୧୦ ମିନିଟ ଧରି ଖୋଜାଖୋଜି କରାଯିବା ପରେ ଉଭୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସଙ୍ଗେସଙ୍ଗେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ଛାତ୍ରଦ୍ବୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ସାଙ୍ଗରେ ଯାଇଥିବା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଭୋଜି ବନ୍ଦ କରି ଘଟଣାସ୍ଥଳରୁ ଚାଲି ଆସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ଛାତ୍ରଙ୍କ ପରିବାର ଓ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
Follow Us