କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିପାତ!

Advertisment

ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ଜାରି

ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ଜାରି

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍‌ଦାର

India Today

ଫୁଲବାଣୀ: କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଗୋଛାପଡ଼ା ଥାନା ଅଞ୍ଚଳରେ ଆଜି ଏସ୍‌ଓଜି-ଡିଭିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ ବେଳେ ଏନ୍‌କାଉଣ୍ଟରରେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ଗୋଛାପଡ଼ା-କଣ୍ଟାମାଳ ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ଥିବା ମାଓ କ୍ୟାମ୍ପକୁ ଧ୍ବସ୍ତ କରିବା ସହ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି। ଗୋଛାପଡ଼ା ଥାନା ଅନ୍ତର୍ଗତ ମାଲାକେରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଚାଲିଥିବାରୁ ମାଓବାଦୀ ନିଶ୍ଚୟ କିଛି ଅଘଟଣ ଘଟାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ‌କନ୍ଧମାଳ-ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପେରସନ ଜାରି ରହିଥିବାବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ବେଳେ ଭୀଷଣ ଶବ୍ଦ ହେଉଥିବା କଥା ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ତେବେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ କଥାକୁ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସ୍ବୀକାର କରିଛନ୍ତି। ଗୋଛାପଡ଼ା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ମାତ୍ର, ଏହି ଘଟଣାରେ କେତେଜଣ ମାଓବାଦୀ ନିପାତ ହୋଇଛନ୍ତି କିମ୍ବା କେତେଜଣ ସୁରକ୍ଷା କର୍ମୀ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ଏସ୍‌ପି କିଛି କହିନାହାନ୍ତି।

ସୂଚନାଯୋଗ୍ୟ, ଗତ ୨ ତାରିଖଠାରୁ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ ହୋଇଛି। ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ଥାନା ଓ ପୁଲିସ ପୋଷ୍ଟକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏସ୍‌ଓଜି, ଡିଭିଏଫ୍‌ ପକ୍ଷରୁ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲାର ମାଓପ୍ରବଣ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, ଫିରିଙ୍ଗିଆ ଥାନା ଅଞ୍ଚଳରେ କମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରାଯାଇଛି। ମାଓପ୍ରବଣ ଗୋଛାପଡ଼ା, ବାଲନ୍ଦାପଡ଼ା, ପାହିରାଜୁ, ଲୁଇସିଂ, ତୁମୁଡ଼ିବନ୍ଧ ବ୍ଲକର ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଶିର୍ଲା ଏବଂ ବାଲିଗୁଡ଼ା ବ୍ଲକର ବାରଖମା, ମିଡିଆପାଙ୍ଗା, ଗୁମୁଡୁମାହା ଆଦି ସ୍ଥାନରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହିସବୁ ସମ୍ବେଦନଶୀଳ ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍‌ଓଜି, ଡିଭିଏଫ୍‌ ଯବାନମାନେ ଜୋରଦାର କମ୍ବିଂ ଅପରେସନ ଜାରି ରଖିଛନ୍ତି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହନକୁ ଯାଞ୍ଚ କରାଯାଉଛି। ସୂଚନାଯୋଗ୍ୟ, କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ କେକେବିଏନ୍‌ ମାଓ ସଂଗଠନ ସକ୍ରିୟ ରହିଛି। ବିଭିନ୍ନ ସମୟରେ ମାଓବାଦୀମାନେ ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୋଛାପଡ଼ା-କଣ୍ଟାମାଳ ଜଙ୍ଗଲ ଏବଂ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ବ୍ଲକର ବିଭିନ୍ନ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe