The News Insight
ଘଟଗାଁ: ମା’ ତାରିଣୀ ମନ୍ଦିରରେ ଭୋଗ ମହାସୁଲ ଆଦାୟରେ ହେରଫେର ଘଟଣାରେ ପୂଜକମାନେ ସମୂହ ଅନଶନ ଧମକ ଦେବାର ଗୋଟିଏ ଦିନ ପରେ ଆଜି ଦୁଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେମାନେ ହେଲେ ସୁରେଶ ଚନ୍ଦ୍ର ବାରିକ ଓ ମହେଶ୍ୱର ଦେହୁରୀ। ଅନ୍ୟପକ୍ଷରେ ଟିକଟ କଟା ଦାୟିତ୍ୱରେ ନଥାଇ ବି ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅଫିସ କାମ ଛାଡ଼ି ଟିକଟ କାଉଣ୍ଟରରେ ବସି ଟିକଟ କାଟୁଥିବା ହରେକୃଷ୍ଣ ପଲେଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି। ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ପୂଜକ ସଂଘର ମୁଖପାତ୍ର ପ୍ରଦୀପ ଦେହୁରୀ ପ୍ରଶ୍ନ କରିବା ସହ ଏନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ମା’ ତାରିଣୀ ମନ୍ଦିରରେ ନଡ଼ିଆ ଭୋଗ କରିବାପାଇଁ କଟାଯାଉଥିବା ଟିକଟକୁ ଏକାଧିକ ଥର ବ୍ୟବହାର କରାଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଭୋଗ ଲାଗି କରୁଥିବା ବେଳେ ସେହି ଅନୁଯାୟୀ ମହାସୁଲ ନ ମିଳିବାରୁ ସେବାୟତ ଓ ପୂଜକମାନେ ସନ୍ଦେହ କରିଥିଲେ। ଅକ୍ଟୋବର ୧୪ ତାରିଖର ୧୦୮ ମାନସିକ ନଡ଼ିଆ ଟିକଟ ଉପରେ ନଜର ପଡ଼ିବାରୁ ସେଥିରେ ୧୪ ତାରିଖ ପରିବର୍ତ୍ତେ ୧୩ ତାରିଖ ଲେଖାଯାଇଥିଲା। ଏନେଇ ସେବାୟତମାନେ ତୁରନ୍ତ ଟିକଟ କାଉଣ୍ଟରରେ ଯାଇ ଜଣାଇଥିଲେ। ଅକ୍ଟୋବର ୩୧ ତାରିଖରେ ସମସ୍ତ ଟିକଟ ଯାଞ୍ଚ କରାଯାଇଥିଲା। ଏକାଧିକ ଟିକଟରେ ପିଛିଲା ତାରିଖ ଉଲ୍ଲେଖ ଥିଲା। ଏ ସମ୍ପର୍କରେ ସେବାୟତମାନେ ନଭେମ୍ବର ୧ ତାରିଖରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବା ପରେ ୪ ତାରିଖରେ ଦୁଇଜଣ କର୍ମଚାରୀ ସୁରେଶ ଚନ୍ଦ୍ର ବାରିକ ଓ ମହେଶ୍ବର ଦେହୁରୀଙ୍କୁ ଟିକଟ କାଉଣ୍ଟରରୁ ଅପସାରଣ କରାଯାଇ ସେମାନଙ୍କୁ ଲମ୍ବାଛୁଟିରେ ପଠା ଯାଇଥିଲା। ଉଭୟଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଦୁଇ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଗତକାଲି ପୂଜକମାନେ ସମୂହ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଶେଷରେ ମନ୍ଦିର କର୍ତ୍ତୃପକ୍ଷ ଦୁଇ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।
Follow Us