ରତ୍ନ ପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଥାନା ଆଗରେ ଶବ ରଖି ରାସ୍ତାରୋକ

ରତ୍ନ ପଥର ଖଣିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଥାନା ଆଗରେ ଶବ ରଖି ରାସ୍ତାରୋକ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଗୁଲମୀ ଜଙ୍ଗଲର ରତ୍ନପଥର ଖଣିରେ ଦୁର୍ଘଟଣା ଘଟି ଶୁକ୍ରବାର ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଶନିବାର ଟିଟିଲାଗଡ଼ ଥାନା ଆଗରେ ଉଭୟ ଶବ ରଖି ଆଦିବାସୀ ଯୁବ କନ୍ଧ ସମାଜ ରାସ୍ତାରୋକ କରିଥିଲା। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ, ବନ ବିଭାଗ ଓ ଖଣି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ପ୍ରକାଶ ଯେ ଶୁକ୍ରବାର ଖଣି ଖୋଳା ଚାଲିଥିବା ସମୟରେ ଗାତ ଭିତରେ ଦୁଇଜଣ ଶ୍ରମିକ ଗୁଲମି ଗ୍ରାମର ନବୀନ ଜାନୀ ଓ ନୂଆପଡ଼ା ଗ୍ରାମର ଉଜ୍ୱଳ ଭୋଇଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଶନିବାର ଦିନ ୧୨ଟାରୁ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ୨୬ର ଟିଟିଲାଗଡ଼ ଥାନା ଆଗରେ ଶବରଖି ରାସ୍ତାରୋକ କରିଥିଲେ।

ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ସହ ଖଣି ମାଫିଆମାନଙ୍କୁ ତୁରନ୍ତ ଗିରଫ କରିବା, ମୁରିବାହାଲ ରେଞ୍ଜର, ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବନ କରି ଗିରଫ କରିବାକୁ ଦାବି କରିଥିଲେ। ରାସ୍ତାରୋକରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଜିଲ୍ଲା ଉପସଭାପତି ଧନେଶ୍ୱର ମାଝୀଙ୍କ ନେତୃତ୍ୱରେ ଗୀତାଞ୍ଜଳି ପ୍ରଧାନୀ, ବନିତା ପ୍ରଧାନୀ, ରୁକ୍ମିଣୀ ପ୍ରଧାନୀ, ଧନେଶ୍ୱର ମାଝୀ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ଉପସଭାପତି ଦୋଷୀମଣି ପ୍ରଧାନୀ, ମୁରିବାହାଲ ବ୍ଲକ୍‌ ସଭାପତି ଉପିନ୍ଦ୍ର ଯାନୀ, ସୁରେଶ ନାଗ, ବିନେ ଯାନୀ, ସୁରେଶ ଭୋଇ, ପିଙ୍କୁ ପ୍ରଧାନୀ, ବାସୁଦେବ ଯାନୀ, ବରଜ ଭୋଇ, ବଙ୍ଗୋମୁଣ୍ଡା ସଭାପତି ରଘୁ ପ୍ରଧାନୀ, କ୍ଷୀରୋଦ ପ୍ରଧାନୀ, ପଙ୍କଜ ପ୍ରଧାନୀ, ଟିକେଶ୍ୱର କହଁର, ଭଗରାତି ଭୋଇ, କାର୍ତିକ ମାଝୀ, ରଥି ଭୋଇ, ବିରଞ୍ଚି ମାଝୀ, ନରେଶ ଭୋଇ, ଦାଶରଥି ଭୋଇ, ଭାସ୍କର ଯାନୀ, ଟଙ୍କ ଯାନୀ, ନୀଳାଚଳ ଯାନୀ, ତେଜୁକର କରିଆ, ଉପେନ୍ଦ୍ର ରଣା, ରିଙ୍କୁ ସାହୁ, ଜଗଦୀଶ ଭୋଇ, ରୋମାଞ୍ଚନ ମାଝୀ, ରମାକାନ୍ତ ଭୋଇ, ଶ୍ରୀଧର ମାଝୀ, ସୁବୁ ଯାନୀ, ପବିତ୍ର ଯାନୀ, ଜୟ ସିଂ ମାଝୀ, ଜୟ ଯାନୀ, ଲିଙ୍ଗରାଜ ନାୟକ ପ୍ରମୁଖ ସାମିଲ ଥିଲେ।

ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଧମକ ଦେଇଥିଲେ। ଘଟଣାସ୍ଥଳରେ ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ, ଡିଏସ୍‌ପି ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ପ୍ରମୁଖ ପହଞ୍ଚି ଆନ୍ଦୋଳନ କରିଥିଲେ। ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଁଏ ଦେବା ସହ ଖଣି ମାଫିଆମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୬ଟା ୨୦ରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ତଦନ୍ତ ନିର୍ଦ୍ଦେଶ ଦେଲେ ଡିଏଫ୍‌ଓ

ବଲାଙ୍ଗୀର/ଟିଟିଲାଗଡ଼:ଗୁଲମୀ ଗାଁ ନିକଟ ତିଖାରୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ରତ୍ନପଥର ଖୋଳା ଯାଉଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକ ମୃତ୍ୟୁବରଣ କରିବା ପରେ ଖଣିଖନନ କେମିତି ଜିଲ୍ଲାରେ ଚାଲିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୋଗ ହେଉଛି ଯେ, ବେଆଇନ ବ୍ଲାଷ୍ଟିଂ ହେଉଥିଲେ ହେଁ ଟିଟିଲାଗଡ଼ ପୁଲିସ ସବୁଜାଣି ଅଜଣା ହେଉଛି। ଏହି ବେଆଇନ ଖଣି ଖନନରେ ମୁରିବାହାଲ ରେଞ୍ଜରଙ୍କ ସହ ଅନେକଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ସେମାନେ କୁଆଡ଼େ ରତ୍ନପଥର ଖୋଳାଇ ବ୍ୟବସାୟ କରୁଥିବା ରାଜୁ ସାହୁ ସାଙ୍ଗରେ ଭିତିରି ସଂପର୍କ ରଖିଥିବା ଚର୍ଚ୍ଚା ହେଉଛି।

ବର୍ଷ ବର୍ଷ ଧରି ଏହି ରତ୍ନପଥର ଖୋଳା କାମ ଚାଲୁରହିଛି। ସ୍ଥାନୀୟ ପୁଲିସ ଓ ବନବିଭାଗର ଜ୍ଞାତସାରରେ ଚାଲିଥିବା ଏହି କାରବାରରେ କିଛି ରାଜନେତା ମଧ୍ୟସ୍ଥି ସାଜିଥିବା ମଧ୍ୟ ଅଭିଯୋଗ ହୁଏ। ଦୁଇଜଣଙ୍କ ମୃତ୍ୟୁ ଘଟଣା ପରେ ବଲାଙ୍ଗୀର ଡିଏଫ୍‌ଓ ନୀତିଶ କୁମାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ବଲାଙ୍ଗୀର ଡିଭିଜନ କାର୍ଯ୍ୟାଳୟର ଏକ ଟିମ୍‌ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe