ବୃତ୍ତିରେ ଚାକିରି, ପେଶାରେ ବ୍ରାଉନ୍‌ସୁଗାର କାରବାର: ଭୁବନେଶ୍ବରରେ ୨ ଯୁବତୀ ଗିରଫ, ମୋବାଇଲ୍‌-ଲାପଟପ୍‌ ଜବତ

Advertisment
ବୃତ୍ତିରେ ଚାକିରି, ପେଶାରେ ବ୍ରାଉନ୍‌ସୁଗାର କାରବାର: ଭୁବନେଶ୍ବରରେ ୨ ଯୁବତୀ ଗିରଫ, ମୋବାଇଲ୍‌-ଲାପଟପ୍‌ ଜବତ

ଭୁବନେଶ୍ବର: ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ୨ ଜଣ ଯୁବତୀଙ୍କୁ କମିସନରେଟ୍‌ ପୁଲିସ ଶୁକ୍ରବାର ରାତିରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତା ହେଲେ ପ୍ରଜ୍ଞାପ୍ରିୟା ସ୍ୱାଇଁ ଓ କରିଶ୍ମା ରାଉତ।

ପୁଲିସ କହିଛି ଯେ, ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ ଭୁବନେଶ୍ବରସ୍ଥିତ ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ରାଜଧାନୀର ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ପ୍ରଜ୍ଞା ଓ କରିଶ୍ମା ଯଦିଓ ବୃତ୍ତିରେ ଚାକିରି କରୁଥିଲେ, ତଥାପି ସେମାନଙ୍କର ପେଶା ଥିଲା ବ୍ରାଉନ୍‌ସୁଗାର କାରବାର। ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ କମିସନରେଟ୍‌ ପୁଲିସ୍‌ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜଧାନୀର ଏକ ବ୍ରାଉନ୍‌ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ।

କମିସନରେଟ୍‌ ପୁଲିସ୍‌ ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଭଡ଼ାଘରୁ ୨୬୫ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ। ଉଭୟଙ୍କଠାରୁ ପୁଲିସ୍‌ ୩ଟି ମୋବାଇଲ୍‌ ଓ ଗୋଟିଏ ଲାପ୍‌ଟପ୍‌ ଜବତ କରିଥିଲା। ବ୍ରାଉନ୍‌ସୁଗର ଯୋଗାଉଥିବା କିଙ୍କପିନ୍‌ଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ୍‌ ଉଦ୍ୟମ ଚଳାଇଛି।

ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସେଫ୍‌ ସିଟି ଡ୍ରାଇଭ୍ ଜାରି ରହିଛି। ଏହି କାର୍ଯ୍ୟ ଆଗକୁ ମଧ୍ୟ ଚାଲୁ ରହିବ। ଚଳିତବର୍ଷ ଆଜି ସୁଦ୍ଧା କମିସନରେଟ୍‌ ପୁଲିସ୍‌ ଓ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଭୁବନେଶ୍ୱର ଅଞ୍ଚଳରୁ ୯୮୪ ଗ୍ରାମ ବ୍ରାଉନ୍‌ସୁଗର ଓ ୫୪୩ କିଗ୍ରା ଗଞ୍ଜେଇ ଜବତ କରିଛି। ୨୦୨୩ ମସିହାରେ ଭୁବନେଶ୍ୱରରୁ ପ୍ରାୟ ୩ କିଗ୍ରା ବ୍ରାଉନ୍‌ସୁଗର ଓ ୨୬ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe