ସିରିଏଲ୍ ବୋମାମାଡ଼ରେ ଥରହର ହରିପୁର; ଦୁଇ ଯୁବକ ଗୁରୁତର

Advertisment
ସିରିଏଲ୍ ବୋମାମାଡ଼ରେ ଥରହର ହରିପୁର; ଦୁଇ ଯୁବକ ଗୁରୁତର

ଖଲ୍ଲିକୋଟ: ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ପଞ୍ଚାୟତର ହରିପୁର ଗ୍ରାମ ଆଜି ସକାଳେ ବୋମାମାଡ଼ରେ ଥରି ଉଠିଛି। ଲାଗ୍‌ ଲାଗ୍‌ ୪ଟି ଶକ୍ତିଶାଳୀ ବୋମା ମାଡ଼ରେ ଗ୍ରାମର ଦୁଇ ସଂପର୍କୀୟ ଭାଇ ନୀଳାଞ୍ଚଳ ଦାସ (୨୭) ଓ ଶ୍ରୀନିବାସ ଦାସ (୨୫) ଗୁରୁତର ହୋଇଛନ୍ତି। ଏଣେ ସେମାନଙ୍କ ଆଉ ଜଣେ ସଂପର୍କୀୟ ବାଳକ ସୁକାନ୍ତ ଦାସ (୧୫) ସେହିଠାରୁ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ବିପକ୍ଷ ଗୋଷ୍ଠୀ ଅପହରଣ କରି ନେଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଉଭୟ ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କିଛିଦିନ ତଳେ ହରିପୁର ଗ୍ରାମରେ ଦୁଇ ଗୋଷ୍ଠୀ ଭିତରେ ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ଘଟିଥିଲା। ଗତକାଲି ରାତିରେ ସୁକାନ୍ତ ହଠାତ୍ କୁଆଡ଼େ ନିଖୋଜ ହୋଇ ଯାଇଥି‌ଲେ। ଏହାକୁ ନେଇ ଗାଁରେ ଚହଳ ପଡ଼ି ଯାଇଥିଲା। ପରିବାରବର୍ଗ ତାକୁ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ତଥା ଆଜି ସକାଳେ ପ୍ରତିପକ୍ଷ ଗୋଷ୍ଠୀ ଗାଁ ମଝିରେ ଦୁଇ ସଂପର୍କୀୟ ଭାଇ ନୀଳାଞ୍ଚଳ ଓ ଶ୍ରୀନିବାସଙ୍କୁ ଲକ୍ଷ୍ୟ କରି ଚାରିଟି ବୋମା ଫିଙ୍ଗିଥିଲେ। ପୁଲିସ ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ହରିପୁର ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଗ୍ରାମରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ଛତ୍ରପୁର ଏସଡିପିଓ ଗୌରହରି ସାହୁ , ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଟିମ୍ ଚଢ଼ଉ ଜାରି ରଖିଛନ୍ତି। ଗୁରୁତର ନୀଳାଞ୍ଚଳଙ୍କ ମାଆ ଉଷା ଦାସଙ୍କ ଏତଲା କ୍ରମେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୮୫୧/୨୩ରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe