ମରଣଯନ୍ତା ପାଲଟିଛି ୫୫ନମ୍ବର ଜାତୀୟ ରାଜପଥ: ୨ ଯୁବକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ୟାଙ୍କର

କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ମରଣଯନ୍ତା ପାଲଟିଛି ୫୫ନମ୍ବର ଜାତୀୟ ରାଜପଥ: ୨ ଯୁବକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ୟାଙ୍କର

ରେଢ଼ାଖୋଲ: ବୁଲେଟ୍‌ ଆରୋହୀ ୨ ଜଣ ଯୁବକଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ୟାଙ୍କର ଚଢ଼ିଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ସନ୍ଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ୨ ଯୁବକ ହେଲେ ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର ଭିତିରିଆ। ଉଭୟ ଯୁବକଙ୍କର ବୟସ ୧୮ରୁ ୨୨ ଭିତରେ ହେବ ବୋଲି କୁହାଯାଇଛି।

ସୂଚନା ଅନୁସାରେ ରେଢ଼ାଖୋଲ ବସ୍‌ଷ୍ଟାଣ୍ଡ ଅଞ୍ଚଳର ଶୁଭେନ୍ଦୁ ସାହୁ ଓ ତାଙ୍କର ସାଙ୍ଗ ତଥା ରଥସାହିର ଶ୍ୟାମସୁନ୍ଦର ଭିତିରିଆ ଆଜି ଅପରାହ୍‌ଣରେ ପୋଡ଼ାବଲଣ୍ଡା ରୋଡରେ ଥିବା ଫରେଷ୍ଟ ପାର୍କକୁ ଯାଇଥିଲେ। ସନ୍ଧ୍ୟା ହୋଇଯିବା ପରେ ସେମାନେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଏକ ବୁଲେଟ୍‌ରେ ଘରକୁ ଫେରୁଥିଲେ। ସନ୍ଧ୍ୟା ୫ଟା ବେଳେ ସ୍ଥାନୀୟ ଏବିସି ରେଷ୍ଟୁରାଣ୍ଟ ସାମ୍ନାରେ ରେଢ଼ାଖୋଲ ପାର୍ଶ୍ବରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ଉଭୟ ଶୁଭେନ୍ଦୁ ଓ ଶ୍ୟାମସୁନ୍ଦରଙ୍କୁ ଧକ୍କା ଦେଇଥିଲା ଏବଂ ଦୁର୍ଘଟଣା ପରେ ଟ୍ୟାଙ୍କରଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଉତ୍ତେଜିତ ଲୋକେ ମୃତଦେହ ଜାତୀୟ ରାଜପଥ ଉପରେ ରଖି ରାସ୍ତାରୋକ କରିଛନ୍ତି। ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ପୁଲିସ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି। ଯାତାୟତ ପୂରା ଠପ୍‌ ହୋଇଯାଇଛି।

ତେବେ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଅଧିକ ଉତ୍ତେଜିତ ହେବାର ଅନ୍ୟତମ କାରଣ। ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୬ ବର୍ଷ ମଧ୍ୟରେ ପୂରା ହୋଇ ପାରିନଥିବାରୁ ଜନଅସନ୍ତୋଷ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe