ବିରୂପାରେ ବୁଡ଼ିଗଲେ ଦୁଇ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

Advertisment
ବିରୂପାରେ ବୁଡ଼ିଗଲେ ଦୁଇ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା/ଡେରାବିଶ :କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଛୋଟିଗ୍ରାମ ନିକଟ ବିରୂପା ନଈ ଘାଟରେ ଗାଧୋଉଥିବା ବେଳେ ଦୁଇ ଜଣ ଯୁବକ ଆଜି ବୁଡି ଯାଇଛନ୍ତି। ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। କିନ୍ତୁ ଦୁଇ ଯୁବକ ହେଉଛନ୍ତି ବାପା-ମା'ଙ୍କର ଗୋଟିଏ ଗୋଟିଏ ପୁଅ। ଡେରାବିଶରୁ ଅଗ୍ନିଶମ ବିଭାଗ ଟିମ୍ ଓ ମାର୍ଶାଘାଇ ତାଲିମ ଶିବିରରେ ଥିବା ଏନଡିଆରଏଫ ଓ ଓଡ୍ରାଫ ଟିମ୍ ଖୋଜାଖୋଜି କରି ପ୍ରଥମେ ପ୍ରକାଶ ଦାସଙ୍କ ପୁଅ ଆକାଶ(୧୯)ଙ୍କ ଶବକୁ ଦିନ ସାଢେ଼ ୨ଟା ବେଳେ ପାଇଥିଲେ। କିନ୍ତୁ ସଂଧ୍ୟା ସୁଦ୍ଧା ନିଖୋଜ ଥିବା ସେହି ଗ୍ରାମର ସ୍ବର୍ଗତ ସନ୍ତୋଷ ପ୍ରଧାନଙ୍କ ପୁଅ ଦିବ୍ୟଜ୍ୟୋତି ପ୍ରଧାନ (ନିପନ୍)ଙ୍କ ପତ୍ତା ମିଳି ନାହିଁ। ଏହି ଦୁଇ ପରିବାର ଏବେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଦିବ୍ୟଜ୍ୟୋତି ଗତ ୮ ତାରିଖରେ ରତ୍ନଗିରି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ନିପନଙ୍କ ସଂପର୍କୀୟ ଅକ୍ଷୟଙ୍କ କହିବା ଅନୁସାରେ ଆଜି ସକାଳେ ୭/୮ ଜଣ ସାଙ୍ଗ ମିଶି କରାଟେ ଶିଖି ସାରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧଉଥିବା ବେଳେ କୁଆେଡ଼ ପ୍ରଥମେ ନିପନ ବୁଡ଼ି ଯାଇଥିଲେ। ନିପନ୍ ବୁଡ଼ି ଯାଉଥିବା ଦେଖି ଆକାଶ ତୁରନ୍ତ ପାଣିକୁ ଡେଇଁ ଉଦ୍ଧାର କରିବାକୁ ପହଁରା ଆରମ୍ଭ କରିଥିଲେ। କିନ୍ତୁ ନଦୀର ଆଡ଼ି ବନ୍ଧ ପାର୍ଶ୍ବ ୩୫ ଫୁଟ ଗଭୀର ପାଣିରେ ଦୁହେଁ ହଜି ଯାଇଥିଲେ। କିଛି ଦୂରରେ ଚାଲିଥିବା ବ୍ରିଜ୍ କାମର ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ପହଁଚି ଯାଇଥିଲେ ହେଁ ଉଭୟଙ୍କର କୌଣସି ପତ୍ତା ମିଳି ନଥିଲା। ଏ ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଦାଶରଥୀ ଶତପଥୀ ତୁରନ୍ତ ମାର୍ଶାଘାଇରେ ଥିବା ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଇ ଥିଲେ। ଡେରାବିଶ ଅତିରିକ୍ତ ତହସିଲଦାର ସମ୍ବିତ ଶତପଥୀ ଘଟଣା ସ୍ଥଳରେ ପହଁଚିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିଲା। ପାଣିରେ ବୁଡ଼ି ଯାଇଥିବା ନିପନଙ୍କୁ ଉଦ୍ଧାର କରାଯାଇ ପାରି ନଥିବାରୁ ଆସନ୍ତାକାଲି ପୁଣି ସକାଳେ ଖୋଜିବା ଆରମ୍ଭ କରାଯିବ ବୋଲି ନିକିରାଇ ଥାନା ଆଇଆଇସି କାବୁଲି ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe