Orissa Post
ଦେବଗଡ଼: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ରାଜ୍ୟରେ ହକି ବିଶ୍ୱକପ୍ ଆୟୋଜନ ସମୟରେ ଦେବଗଡ଼ ଜିଲ୍ଲାରେ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ମଣ୍ଡପ, ମିନାବଜାର, କ୍ରୀଡ଼ା ଓ ସାଂସ୍କୃତିକ କାଯ୍ୟକ୍ରମ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧକ୍ଷ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପରିପ୍ରେକ୍ଷୀରେ ସାରା ରାଜ୍ୟକୁ ଉତ୍ସବ ମୁଖର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।
୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ଵକପ୍କୁ ସ୍ମରଣୀୟ କରିବା ପାଇଁ ଜିଲ୍ଲାରେ ଉପରୋକ୍ତ କାଯ୍ୟକ୍ରମ ସହ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ସବ ପ୍ରଧାନପାଟ ଓ ବଡ଼ ବାଗିଚାରେ ୫ ଦିନ ବ୍ୟାପୀ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଏସ୍ପି ପ୍ରମୋଦ ରଥ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଲୁକାସ୍ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମଞ୍ଚାସୀନ ଥିଲେ। ଓର୍ମାସର ସହକାରୀ ନିର୍ଦେଶକ ସୁବଳ ଜେନାମଣି ପ୍ରାରମ୍ଭିକ ସୂଚନା ଓ ପଲ୍ଲୀଶ୍ରୀ ମେଳା ଆୟୋଜନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଉତ୍ସବ ପ୍ରଧାନପାଟ ପାଇଁ ନୂଆ ଲୋଗୋ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଇଚ୍ଛୁକ ବ୍ୟକ୍ତି ଲୋଗୋ ଅଙ୍କନ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାଯ୍ୟାଳୟରେ ଡିସେମ୍ବର ୫ ତାରିଖ ସୁଦ୍ଧା ଦେବା ପାଇଁ ଅନୁରୋଧ କରାଯାଇଛି। ବୈଠକରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ୩ ବ୍ଲକ୍ର ବିଡିଓ ଯୋଗ ଦେଇଥିଲେ। ଡିଆଇପିଆରଓ ମନୋରଞ୍ଜନ ସୂତାର ଧନ୍ୟବାଦ ଦେଇଥିଲେ। ବୈଠକ ପୂର୍ବରୁ ସମ୍ବିଧାନ ଦିବସ ଅବସରରେ ଶପଥ ପାଠ କରାଯାଇଥିଲା।
Follow Us