ରାଜନୀତିରେ ପ୍ରବେଶ କରିବେ ଉଦୟନାଥ ବାବା! ଖୁବ୍‌ ଶୀଘ୍ର କରିପାରନ୍ତି ଘୋଷଣା

ରାଜନୀତିରେ ପ୍ରବେଶ କରିବେ ଉଦୟନାଥ ବାବା! ଖୁବ୍‌ ଶୀଘ୍ର କରିପାରନ୍ତି ଘୋଷଣା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତରେ ରହିଛି ଛତିଶଗଡ଼ ରାଜ୍ୟ। ଏହି ରାଜ୍ୟ ସହିତ ଚନ୍ଦାହାଣ୍ଡି ବ୍ଲକ୍ ଅଞ୍ଚଳର ରୋଟି-ବେଟିର ସମ୍ପର୍କ ରହିଥିବା ବେଳେ ଏହି ଦୁଇ ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ପରସ୍ପର ପରିପୂରକ। ତେବେ ଆସନ୍ତା ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏବେ ଠାରୁ ଏଠାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇବାରେ ଲାଗିଛି। ବର୍ତ୍ତମାନ ଏଠାରେ ଜଣେ ବାବାଙ୍କ ରାଜନୈତିକ ରୁଚିକୁ ନେଇ ବିନ୍ଦ୍ରାନବାଗଡ ବିଧାନସଭା କ୍ଷେତ୍ରରେ ଚର୍ଚ୍ଚା ଜୋର ଧରିଛି। ଅବଶ୍ୟ ଏହି କ୍ଷେତ୍ରରେ ବାବାଙ୍କ ପ୍ରବେଶ କିଛି ନୂଆ ନାହିଁ। ପୂର୍ବରୁ ମଧ୍ୟ ମହାସମୁନ୍ଦ୍ ଲୋକସଭା କ୍ଷେତ୍ରରୁ ବାବା ପବନ ଦିୱାନ୍ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ଏକାଧିକ ବାର୍ ସାଂସଦ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିଲେ।

ତେବେ ସମ୍ପ୍ରତି ଯେଉଁ ବାବାଙ୍କ ରାଜନୀତିକୁ ନେଇ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଚନ୍ଦାହାଣ୍ଡି ବ୍ଲକ୍ ସରଧାପୁର ଗ୍ରାମର ଉଦୟ ନାଥ ମାଝୀ ଓରଫ୍ ଉଦୟନାଥ ଦାଶ ବାବା। ସେ ନିଜ ଗ୍ରାମ ସରଧାପୂର୍ ଠାରେ ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ନିଜକୁ ସାଂସାରିକ ଭୋଗ ବିଳାସରୁ ନିବୃତ ରଖି ଗୃହତ୍ୟାଗ କରି ମହିମା ଧର୍ମରେ ଦୀକ୍ଷିତ ହୋଇଥିଲେ। ଏହା ପରେ ସେ ଅମଲିପଦର୍ ନିକଟସ୍ଥ କାଣ୍ଡସର୍ ଠାରେ ଏକ ଆଶ୍ରମ ନିର୍ମାଣ କରି ମହିମା ଧର୍ମର ପ୍ରଚାର ପ୍ରସାର ସାଙ୍ଗକୁ ‘ଗୋ ସେବା’ ଉପରେ ମନୋନିବେଶ କଲେ। ସେ ନିଜ ଆଶ୍ରମରେ ୫ ଶହରୁ ଊର୍ଦ୍ଧ୍ବ ଗାଈ ପାଳନ କରିଥିବା ବେଳେ ଗୋବର, ଗୋ ମୂତ୍ର, ଘିଅ ଆଦିରୁ ବିଭିନ୍ନ ଔଷଧ ତିଆରି କରି ବିଭିନ୍ନ ପ୍ରକାର ଦୁରାରୋଗ୍ୟର ଘରୋଇ ଚିକିତ୍ସା କରିଥାନ୍ତି।

ଏହି କ୍ରମରେ ବାବା ଙ୍କ ବିନ୍ଦ୍ରା ନବାଗଡ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ନିଜର ଅନୁଗାମୀ କରି ପାରିଛନ୍ତି। ତେବେ ବାବା ଆସନ୍ତା ଛତିଶଗଡ଼ ବିଧାନସଭା ନିର୍ବାଚନରେ କୌଣସି ଏକ ଜାତୀୟଦଳ ତରଫରୁ ପ୍ରାର୍ଥୀ ହୋଇ ରାଜନୀତିରେ ପ୍ରବେଶ କରିବା ନେଇ ସଂକେତ ଦେଇଛନ୍ତି। ଯଦି ସେ କୌଣସି ଦଳରୁ ରାଜନୀତି ଆରମ୍ଭ କରି ନାହାନ୍ତି ତଥାପି ବାବା ରାଜନୈତିକ ରୁଚି ଜାଣିବା ପରେ ବାବାଙ୍କ ଅନୁଗାମୀ ଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସର ଆଶାୟୀ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ନିରାଶା ଦେଖା ଦେଇଛି। ତେବେ ଏଠାରେ ବର୍ତ୍ତମାନ ବିଜେପିର ଡମ୍ବରୁଧର ପୂଜାରୀ ବିଜେପିରୁ ବିଧାୟକ ଥିବା ବେଳେ ଗତ ନିର୍ବାଚନରେ କଂଗ୍ରେସ ତରଫରୁ ଯୁବ ନେତା ସଞ୍ଜୟ ନେତାମ୍ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ଏ ନେଇ ଉଦୟ ନାଥ ବାବା ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ପ୍ରକାଶ କରିଛନ୍ତି। ବାବାଙ୍କ ରାଜନୀତି ପ୍ରବେଶ ପ୍ରସଙ୍ଗକୁ ନେଇ ତାଙ୍କ ଜନ୍ମଭୂମିରେ ଉତ୍ସାହ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe