ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ସ୍ବୀକୃତି ଦେଲାନି ୟୁଜିସି

ୟୁଜିସିର ଯୁକ୍ତିକୁ ବେଆଇନ ଦର୍ଶାଇଲା ଉଚ୍ଚଶିକ୍ଷା ବିଭାଗ

ଜାତୀୟ ସମ୍ମିଳନୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୃତିତ୍ବ

rajendracollege.nic.in

ଭୁବନେଶ୍ବର : ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନିୟମ ଅନୁଯାୟୀ ପ୍ରତିଷ୍ଠା ହୋଇନାହିଁ। ତେଣୁ ତାହାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇନ ୧୯୫୬ର ସେକ୍ସନ ୨(ଏଫ୍‌)ରେ ସାମିଲ କରାଯାଇପାରିବ ନାହିଁ। ୟୁଜିସି ଉପସଚିବ ନରେଶ କୁମାର ଶର୍ମା ୨୦୨୦ ଡିସେମ୍ବର ୨୮ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଏଭଳି ପତ୍ର ଲେଖି ବିଶ୍ବବିଦ୍ୟାଳୟକୁ ସ୍ବୀକୃତି ନ ଦେବାକୁ କହିଛନ୍ତି। ଶ୍ରୀ ଶର୍ମା ଦର୍ଶାଇଛନ୍ତି ଯେ ଏହି ବିଶ୍ବବିଦ୍ୟାଳୟ ସରକାରଙ୍କ ଏକ ବିଜ୍ଞପ୍ତି ମାଧ୍ୟମରେ ହୋଇଛି। ରାଜ୍ୟର କୌଣସି ଆଇନ ଦ୍ବାରା ପ୍ରତିଷ୍ଠା କରାଯାଇ ନାହିଁ। ତେଣୁ ୟୁଜିସିର ବିଶ୍ବବିଦ୍ୟାଳୟ ତାଲିକାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ।

ଚିଠି ପାଇବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏନେଇ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇଛନ୍ତି। ଆଇନ ବିଶାରଦଙ୍କ ସହ ବ୍ୟାପକ ବିଚାରବମର୍ଶ କରାଯିବା ପରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ୟୁଜିସି ସଚିବଙ୍କୁ ପତ୍ର ଲେଖି ୟୁଜିସିର ଯୁକ୍ତିକୁ ଭୁଲ ବୋଲି ଦର୍ଶାଇଛନ୍ତି। ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୩୨ ଅନୁଯାୟୀ ରାଜ୍ୟ ସରକାର ୨୦୨୦ ଜୁନ୍‌ ପହିଲାରେ ଏହି ବିଶ୍ବବିଦ୍ୟାଳୟକୁ ପ୍ରତିଷ୍ଠା କରିଛନ୍ତି। ଏହି ଆଇନ ଅନୁଯାୟୀ ରାଜ୍ୟ ସରକାର ବିଜ୍ଞପ୍ତି ଦ୍ବାରା ଯେକୌଣସି ବିଶ୍ବବିଦ୍ୟାଳୟର ଭୌଗୋଳିକ ପରିସୀମା ଓ ନାମକୁ ପରିବର୍ତନ କରିପାରିବେ। ସେହିପରି ବିଜ୍ଞପ୍ତି ମାଧ୍ୟମରେ ଏକାଧିକ ନୂଆ ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିପାରିବେ। ସେହି ଆଧାରରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। କେବଳ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ନୁହେଁ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ଅନେକ ବିଶ୍ବବିଦ୍ୟାଳୟ ୟୁଜିସି ଆଇନ ୧୯୫୬ର ସେକ୍ସନ ୨(ଏଫ୍‌)ରେ ସାମିଲ ହୋଇଛନ୍ତି। ତେବେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମନା କରିବା ନିଷ୍ପତ୍ତି ତର୍କ ସୃଷ୍ଟି କରୁଛି। ଏହି ଘଟଣାର ପୁନର୍ବିଚାର କରି ୟୁଜିସି ସ୍ବୀକୃତି ଦେବାକୁ ଶ୍ରୀ ମିଶ୍ର ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe